ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟରେ ଦଶମ ଶ୍ରେଣୀର ଜଣେ ନାବାଳିକା ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଏବଂ ପରବର୍ତ୍ତୀ ସମୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ଘଟଣାରେ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରୀମାନଙ୍କ ସୁରକ୍ଷା ଓ ଦାୟିତ୍ୱ ନିର୍ବାହରେ ଚରମ ଅବହେଳା ଅଭିଯୋଗରେ ସମ୍ପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନମିତା ମାଝୀଙ୍କୁ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି (ସିସିଏ) ନିୟମାବଳୀ ଆଧାରରେ ବ୍ଲକ ଶିକ୍ଷାଧିକାରୀ ତୁରନ୍ତ ଚାକିରିରୁ ନିଲମ୍ବନ କରିଛନ୍ତି। ଅନ୍ୟପକ୍ଷରେ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ନବଜାତ ଶିଶୁପୁତ୍ରର ଗୁରୁବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି।
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଜିଲ୍ଲା ରାଜନୀତି ସରଗରମ ହୋଇପଡ଼ିଛି। ବିଜୁ ଜନତା ଦଳ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ଜଣେ ନାବାଳିକା ଛାତ୍ରୀ ଦୀର୍ଘ ମାସ ଧରି ଗର୍ଭବତୀ ଥିବା ସତ୍ତ୍ୱେ କର୍ତ୍ତୃପକ୍ଷ ଜାଣି ନ ପାରିବା ଆବାସିକ ବିଦ୍ୟାଳୟର ତଦାରଖ ଓ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ବୋଲି ଦଳ ଅଭିଯୋଗ କରିଛି। ଏକ ପ୍ରତିନିଧି ଦଳ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ସମ୍ପୃକ୍ତ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ପୂର୍ବତନ ବିଧାୟକ ଗଣେଶ୍ବର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ଧାନୀ କିସ୍କୁ, ସନ୍ତୋଷ ଜେନା, ଜ୍ୟୋତିକାନ୍ତ ସାମଲ, ସୁଶାନ୍ତ ବଳା, ରାଜୀବ ଲୋଚନ ସେନାପତି, ହରେନ୍ଦ୍ର ବେହେରା, ରାମନ୍ଦୁ ସୋରେନ, ଅନୁପମା ମହାନ୍ତ, ମନୀଷ ଗିରି ଓ ଚିତେଶ୍ୱର ବେହେରା ପ୍ରମୁଖ ସାମିଲ ଥିଲେ। ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା, ପୀଡ଼ିତାଙ୍କୁ ସୁରକ୍ଷା ଓ ଥଇଥାନ ଯୋଗାଇବା ଦିଗରେ ଠୋସ୍ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ଆନ୍ଦୋଳନ କରାଯିବ ବୋଲି ଦଳ ଚେତାବନୀ ଦେଇଛି। ଏହି ଘଟଣାରେ ପ୍ରଶାସନ ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଅଧିକ ତଦନ୍ତ ଜାରି ରଖିଛି।