ବାରିପଦା: ସ୍ଥାନୀୟ ସହରରେ ବେଆଇନ ନିଶାନିବାରଣ କେନ୍ଦ୍ରକୁ ଅପବାଦ ପିଚ୍ଛା ଛାଡୁନି । ଗତ ୯ତାରିଖ ମଧୁବନ ଅଞ୍ଚଳର ‘ଉପଦେଷ୍ଟା’ ନିଶାନିବାରଣ କେନ୍ଦ୍ରରୁ ଉଦ୍ଧାର ଅନ୍ତେବାସୀଙ୍କର ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଛି। ଝାଡଖଣ୍ଡ ରାଜ୍ୟ ବହଡାଗୋଡା ଅଞ୍ଚଳର ନିହାର ରଞ୍ଜନ ସିଟ(୪୦) ‘ଉପଦେଷ୍ଟା’ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କୁ ପରିବାର ଲୋକେ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରିଥିଲେ। ପରେ ଗୁରୁତର ହେବାରୁ ତାଙ୍କୁ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଛି। ପୂର୍ବ ଅଭିଯୋଗ ଅନୁଯାୟୀ କେନ୍ଦ୍ରର ମାଲିକ ଶାନ୍ତନୁ ଦାସଙ୍କ ନାମରେ ବାରିପଦା ଟାଉନ ଥାନାରେ ହୋଇଥିବା ଅଭିଯୋଗ କ୍ରମେ କେଶ ନମ୍ବର ୩୨୯/୨୩ରେ ମାମଲା ରୁଜୁ ହୋଇଥିଲା। ଅନ୍ତେବାସୀଙ୍କୁ ମାଡମାରିଥିବା ଅଭିଯୋଗ କ୍ରମେ ମାଲିକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ମାତ୍ର ଅନ୍ତେବାସୀଙ୍କ ମୃତ୍ୟ ପରେ ଉକ୍ତ ମାମଲାଟି ହତ୍ୟା ମାମଲାକୁ ପରିବର୍ତ୍ତନ ହୋଇଛି ବୋଲି ବାରିପଦା ଟାଉନ ଥାନା ପୁଲିସ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏଭଳି ଘଟଣା ପାଇଁ ଉକ୍ତ କେନ୍ଦ୍ରକୁ ସିଲ କରାଯାଇ ସେଠାରେ ରହୁଥିବା ୧୦ଜଣ ଅନ୍ତେବାସୀଙ୍କ ଅଭିଭାବକଙ୍କୁ ଡକାଇ ଟାଉନ ପୁଲିସ ସମସ୍ତଙ୍କୁ ହସ୍ତାନ୍ତର କରିଛି ।
ତତସହିତ ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ସହରରେ ଥିବା ସମସ୍ତ ନିଶାନିବାରଣ କେନ୍ଦ୍ରର ଯାଞ୍ଚ ଆରମ୍ଭ ହୋଇଛି। ଇତିମଧ୍ୟରେ ଆଉ ୫ଗୋଟି ସ୍ଥାନରେ ନିଶାନିବାରଣ କେନ୍ଦ୍ର ବେଆଇନ ଭାବେ ଚାଲିଥିବା ପୁଲିସ ଜାଣିବାକୁ ପାଇଛି । ସେଗୁଡିକ ହେଲା ୱାର୍ଡ ନମ୍ବର ୧୫ର ସମର୍ପଣ, ପରିବର୍ତ୍ତନ, ପଶ୍ଚାତାପ, କୃପା ଓ ନିଉ ଷ୍ଟେପ’ ନିଶା ନିବାରଣ କେନ୍ଦ୍ର । ଏହି ସମସ୍ତ କେନ୍ଦ୍ରର କାଗଜପତ୍ର ଯାଞ୍ଚ ପରେ ସେଗୁଡ଼ିକ ବେଆଇନ ଭାବେ ଚାଲୁଥିବାରୁ ଟାଉନ ଥାନା ପୁଲିସ ‘କୃପା’ ଓ ‘ପରିବର୍ତ୍ତନ’ ନିଶାନିବାରଣ କେନ୍ଦ୍ରଦ୍ବୟକୁ ବନ୍ଦ କରିଛି। ଯଥାକ୍ରମେ ୩୫ ଓ ୧୦ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସେହିପରି ସମର୍ପଣ, ପଶ୍ଚାତାପ ଓ ନିଉ ଷ୍ଟେପ ନିଶାନିବାରଣ କେନ୍ଦ୍ର ବନ୍ଦ ପାଇଁ ଆଦେଶ ଦେବା ସହିତ ୩ଟି କେନ୍ଦ୍ରରେ ଥିବା ଅନ୍ତବାସୀଙ୍କ ଅଭିଭାବକଙ୍କୁ ଡକାଯାଇଛି । ସେମାନେ ଆସିଲେ ସମସ୍ତ ଅନ୍ତେବାସୀଙ୍କୁ ହସ୍ତାନ୍ତର କରାଯିବ । ଏହି ୫ଟି ବେଆଇନ ନିଶାନିବାରଣ ଦିନ ପାଇଁ କେନ୍ଦ୍ରକୁ ସବୁଦିନ ପାଇଁ ସିଲ କରିବାକୁ ସଦର ଉପଜିଲ୍ଲାପାଳଙ୍କୁ ଟାଉନ ଥାନା ପୁଲିସ ପକ୍ଷରୁ ଲିଖିତ ଭାବେ ଜଣାଇଯାଇଛି ବୋଲି ଏସଡିପିଓ ପ୍ରକାଶ ଜେମ୍ସ ଟୋପ୍ପୋ କହିଛନ୍ତି। ଆଗକୁ ମଧ୍ୟ ଅନ୍ୟ ସମସ୍ତ ନିଶା ନିବାରଣ କେନ୍ଦ୍ରର ନଥିପତ୍ର ଯାଞ୍ଚ କରାଯାଇ ବୈଧ୍ୟ କାଗଜପତ୍ର ନଥିଲେ କେନ୍ଦ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଛନ୍ତି ।
ବାରିପଦା ସହରରେ ବର୍ତ୍ତମାନ ସମୟରେ ଅନେକ ସଂଖ୍ୟକ ନିଶା ନିବାରଣ ଖୋଲିଥିବା ବେଳେ କେବଳ ଗୋଟିଏ ମାତ୍ର ନିଶା ନିବାରଣ କେନ୍ଦ୍ର ସରକାରୀ ସ୍ୱୀକୃତିପ୍ରାପ୍ତ ଅଟେ। ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଓ ବାରିପଦା ପୌରପାଳିକା ପକ୍ଷରୁ ମଧ୍ୟରୁ ବେଆଇନ ନିଶାନିବାରଣ କେନ୍ଦ୍ର ଗୁଡିକର ପୃଥକ ଯାଞ୍ଚ ଆରମ୍ଭ ହୋଇଛି ।
କିଛି ମାସ ପୂର୍ବରୁ କାଲିକାପୁର ଅଞ୍ଚଳରେ ଏକ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବାର ଭିଡ଼ିଓ ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ପ୍ରଶାସନ ପକ୍ଷରୁ ଉକ୍ତ କେନ୍ଦ୍ରକୁ ବନ୍ଦ କରିବା ସହ ମାଲିକକୁ ଗିରଫ କରାଯାଇଥିଲା। ପୁଣି ଗତ ୯ତାରିଖ ଘଟଣାରେ ଅନ୍ୟଜଣେ ଗିରଫ ଓ କେନ୍ଦ୍ର ସିଲ ହେବା ପରେ ବାହାର ଲୋକଙ୍କ ଆଖିରେ ବାରିପଦା ସହର ନିନ୍ଦିତ ହେଉଥିବାରୁ ସମସ୍ତ ବେଆଇନ ନିଶା ନିବାରଣ କେନ୍ଦ୍ର ବନ୍ଦ ପାଇଁ ବିଭିନ୍ନ ମହଲରୁ ଦାବି ଉଠିଥିଲା ।