ମୟୂରଭଞ୍ଜର ଐତିହାସିକ ମା’ କୀଚକେଶ୍ୱରୀ ମନ୍ଦିରର ବିକାଶ ପାଇଁ ୪୪.୯୧ କୋଟି ଟଙ୍କା ମଞ୍ଜୁର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଖିଚିଂ ଠାରେ ଥିବା ପ୍ରସିଦ୍ଧ ତଥା ଐତିହାସିକ ମା’ କୀଚକେଶ୍ୱରୀ ମନ୍ଦିରର ଏକ ବଡ଼ ଧରଣର ବିକାଶ ହେବାକୁ ଯାଉଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୪୪.୯୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର 'ପ୍ରସାଦ' (PRASHAD) ଯୋଜନା ଅଧୀନରେ ଏହି ଅର୍ଥରାଶି ବ୍ୟୟ କରାଯିବ।

ଏ ନେଇ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ନିଜ ଏକ୍ସ (X) ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, "ଓଡ଼ିଶାରେ ତୀର୍ଥଯାତ୍ରା ତଥା ପର୍ଯ୍ୟଟନକୁ ସୁଦୃଢ଼ କରିବା ଦିଗରେ ଏହା ଏକ ନୂଆ ମାଇଲଖୁଣ୍ଟ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ପ୍ରସାଦ ଯୋଜନା ଅଧୀନରେ ମା’ କୀଚକେଶ୍ୱରୀ ମନ୍ଦିରର ବିକାଶ ପାଇଁ ୪୪.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି।" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ସହିତ ପବିତ୍ର ତୀର୍ଥସ୍ଥାନ ଗୁଡ଼ିକରେ ବିଶ୍ୱସ୍ତରୀୟ ସୁବିଧା ବିକାଶ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଦର୍ଶାଇଛନ୍ତି।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର 'ତୀର୍ଥଯାତ୍ରା କାୟାକଳ୍ପ ଏବଂ ଆଧ୍ୟାତ୍ମିକ, ଐତିହ୍ୟ ସମ୍ବର୍ଦ୍ଧନ ଅଭିଯାନ' ବା 'ପ୍ରସାଦ' (PRASHAD) ଯୋଜନା ଅଧୀନରେ ଏହି ଅର୍ଥ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ମନ୍ଦିର ପରିସରରେ ଆବଶ୍ୟକୀୟ ସୁବିଧାର ଉନ୍ନତୀକରଣ କରିବା। ଏହି ଧାର୍ମିକ ପୀଠର ସାଂସ୍କୃତିକ ତଥା ଐତିହାସିକ ମୂଲ୍ୟବୋଧକୁ କ୍ଷୁଣ୍ଣ ନକରି ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀଙ୍କ ପାଇଁ ଉନ୍ନତ ଭିତ୍ତିଭୂମି ସାଙ୍ଗକୁ ସାମଗ୍ରିକ ତୀର୍ଥଯାତ୍ରା ଅଭିଜ୍ଞତାକୁ ଆହୁରି ସୁଗମ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯିବ।

ଖିଚିଂର କୀଚକେଶ୍ୱରୀ ମନ୍ଦିର ଏହି ଅଞ୍ଚଳର ଏକ ପ୍ରମୁଖ ଧାର୍ମିକ ଏବଂ ଐତିହ୍ୟସ୍ଥଳୀ ଭାବରେ ପରିଚିତ। ଏହି ମନ୍ଦିରର ବିକାଶ ହେବା ଦ୍ୱାରା ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରକୁ ବ୍ୟାପକ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି। ଏହାଛଡ଼ା ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବା ସହିତ ସ୍ଥାନୀୟ ଅର୍ଥନୀତିରେ ମଧ୍ୟ ଉଲ୍ଲେଖନୀୟ ସୁଧାର ଆସିବ।

About The Author: Madhusudan Das