ବିଜେପି ନେତାଙ୍କ କାର୍‌ ଧକ୍କାରେ ୨ଟି ବ୍ୟାଟେରୀ ଅଟୋ ଚୂରମାର୍: ୫ ମହିଳାଙ୍କ ସମେତ ୮ ଗୁରୁତର

ବାରିପଦା: କାର୍‌ ଧକ୍କାରେ ୨ଟି ବ୍ୟାଟେରୀ ଅଟୋ ଚୂରମାର୍ । ସଡକ ଦୁର୍ଘଟଣାରେ ୮ ଗୁରୁତର ଆହତ ହୋଇଛନ୍ତି । ବାରିପଦାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ବିଜେପିର ଉଦଳା ନିର୍ବାଚନ ମଣ୍ଡଳୀ ସାଧାରଣ ସମ୍ପାଦକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଅପରାହ୍ନରେ ଉଦଳା ଥାନା ଅଧୀନ ୧୯ ନମ୍ବର ରାଜ୍ୟ ରାଜପଥର ବିସିପୁରସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଦ୍ରୁତ ଗତିରେ ଆସୁଥିବା ଉକ୍ତ କାର୍‌ଟି ସମ୍ମୁଖରୁ ଆସୁଥିବା ଦୁଇଟି ବ୍ୟାଟେରୀ ଚାଳିତ ଯାତ୍ରୀବାହୀ ଟେମ୍ପୋ (ଅଟୋ)କୁ ମୁହାଁମୁହିଁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଟେମ୍ପୋ ଦୁଇଟି ସମ୍ପୂର୍ଣ୍ଣ ଚୂରମାର୍ ହୋଇଯିବା ସହ କାର୍‌ର ଆଗ ଭାଗ ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଟେମ୍ପୋରେ ଥିବା ୫ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ସମସ୍ତ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

About The Author: Madhusudan Das