ବାରିପଦା: ରାଜ୍ୟ କାରା କର୍ମଚାରୀ ମହାସଂଘର ଡାକରାକ୍ରମେ ୫ଦଫା ଦାବି ନେଇ ଜିଲ୍ଲାର କାରାଗାର କର୍ମଚାରୀ ମାନେ ସୋମବାର ଠାରୁ ଆମରଣ ଅନଶନରେ ବସିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ୮ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ସେମାନଙ୍କୂ ସ୍ଥାନୀୟ ପିଆର ଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବାରିପଦା ମଣ୍ଡଳ କାରାଗାରର ୫୨ଜଣ ସମେତ ସମେତ ଜିଲ୍ଲାର ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର କାରାଗାର ପରିସରରେ ମୋଟ ୧୦୪କର୍ମଚାରୀ ମାନେ ଆମରଣ ଅନଶନ ଜାରି ରଖିଛନ୍ତି। ଦାବି ଅନୁଯାୟୀ, ଜେଲ କର୍ମଚାରୀଙ୍କ ମଧ୍ୟରେ କାରରକ୍ଷୀଙ୍କ ଗ୍ରେଡ୍ ପେ ୨ ହଜାର ଓ ମୁଖ୍ୟ କାରାରକ୍ଷୀଙ୍କ ୨ ହଜାର ୪୦୦ ଟଙ୍କାକୁ ବୃଦ୍ଧି, କାରାରକ୍ଷୀରୁ ମୁଖ୍ୟ କାରାରକ୍ଷୀ ପଦବୀ ପାଇଁ ବରିଷ୍ଠତା ଭିଭିରେ ପୁରୁଣା ପଦୋନ୍ନତି ନିୟମ ୨୦୧୨କୁ ଲାଗୁ, ଉପଖଣ୍ଡ ସ୍ତରକୁ ବଦଳି ନିୟମ ବନ୍ଦ, ଖାଦ୍ୟ ଭତ୍ତା ୧ହଜାର ୪୦୦ଟଙ୍କାକୁ ବୃଦ୍ଧି, ସପ୍ତମ ବେତନ କମିଶନ ୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ବୃଦ୍ଧି ଆଦି ରହିଛି।
ଦାବି ପୂରଣ ପାଇଁ ସେପ୍ଟେମ୍ବର ୧୩ରୁ ସେପ୍ଟେମ୍ବର ୨୪ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରିଥିଲେ। ତେବେ ଦାବି ପୂରଣ ନହେବାରୁ ସେପ୍ଟେମ୍ବର ୨୫ ତାରିଖରୁ କାରା କର୍ମଚାରୀ ଖାଦ୍ୟ ଗ୍ରହଣ ନକରି ଶାନ୍ତି ଶୃଙ୍ଖଳାର ସହ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରି ଦାବି ପୂରଣ ପର୍ଯ୍ୟନ୍ତ କାରାଗାର କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନରେ ବସିଛନ୍ତି । ସେମାନଙ୍କ ମଧ୍ୟରୁ ବାରିପଦାର ୮ଜଣ ଗୁରୁତର ଅସୁସ୍ଥ ପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ବାରିପଦା ମଣ୍ଡଳର ସଭାପତି ଜଗନ୍ନାଥ ବେହେରା ସୂଚନା ଦେଇଛନ୍ତି। ଆଗକୁ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ପ୍ରତିକାର ବ୍ୟବସ୍ଥା ସ୍ବରୂପ ମେଡିକାଲ ଟିମ ଓ ଆମ୍ବୁଲାନ୍ସକୁ ସଜାଗ କରାଯାଇଛି ।