ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ସର୍ଚ୍ଚ ଅପରେସନ ବେଳେ ମୟୁରଭଞ୍ଜ ଜିଲ୍ଲା ପୁଲିସକୁ ପୁଣି ବଡ଼ ସଫଳତା ମିଳିଛି। ଦୁଇ ଗୋଟି ପୃଥକ ଘଟଣାରେ ୮ ଗୋଟି ବନ୍ଧୁକ ସମେତ ୩ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏନେଇ ଶନିବାର ବାରିପଦାରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳର ଗ୍ରାମ ଗୁଡିକରେ ବିପୁଳ ପରିମାଣର ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଥିବାରୁ ଅବାଧ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ଏହାକୁ ପ୍ରତିରୋଧ କରି କିଛି ଦିନ ପୂର୍ବରୁ ଦୁଇ ଜଣ ବନ କର୍ମଚାରୀ ଶିକାରୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଉକ୍ତ ଘଟଣା ପରେ ମୟୂରଭଞ୍ଜ ଜିଲ୍ଲା ପୁଲିସ ସମ୍ପୃକ୍ତ ଗ୍ରାମମାନଙ୍କରେ ସର୍ଚ୍ଚ ଅପରେସନ ଜାରି ରଖିଛି। ଏହିକ୍ରମରେ ପୁଲିସ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର ସଂଲଗ୍ନ ଯଦୁନାଥପୁର,ଚନ୍ଦନଚତୁରୀ, ଚମ୍ପାଗଡ଼, ରେଣ୍ଟାସାହି ଓ ହାତୀକୋଟ ଆଦି ଗ୍ରାମରେ ଚଢ଼ାଉ କରାଯାଇଛି। ତେବେ ଉକ୍ତ ଗ୍ରାମର ତିନି ଜଣକ ଘରୁ ଗୋଟିଏ ଲେଖାଏଁ ଦେଶୀ ବନ୍ଧୁକ ଜବତ ସହ ୩ଜଣକୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ବଡ଼ସାହି ଥାନା ଅନ୍ତର୍ଗତ ହାତୀକୋଟ ଗ୍ରାମର ମହେନ୍ଦ୍ର ସିଂ(୩୦), ଶ୍ୟାମସୁନ୍ଦର ସିଂ(୨୮) ଓ ମଦନ ସିଂ(୩୫)।
ସେହିପରି ଖୁଣ୍ଟା ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ବହଳଦା ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଲୁଚାଇ ରଖିଥିବା ୫ଗୋଟି ବନ୍ଧୁକ ଜବତ ହୋଇଛି। ତେବେ ଅଭିଯୁକ୍ତ କେହି ଧରା ପଡିନାହାଁନ୍ତି। ଏନେଇ ବଡ଼ସାହି ଓ ଖୁଣ୍ଟା ଥାନାରେ ପୃଥକ ଭାବେ ଦୁଇ ଗୋଟି ଆର୍ମ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସେମାନେ ବନ୍ଧୁକ କେଉଁଠାରୁ ଆଣିଛନ୍ତି, ଏହାକୁ କିଏ ତିଆରି କରୁଛି ଓ ଏହି ଅଭିଯୁକ୍ତମାନେ ପୂର୍ବରୁ କୋଣସି ଅପରାଧରେ ଜଡିତ ଥିଲେ କି ନାହିଁ, ସେ ସମସ୍ତ ବିଷୟ ତଦନ୍ତ କରାଯାଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର, ଉଦଳା ଏସଡିପିଓ ସାର୍ଥକ ରାୟ, ବଡ଼ସାହି ଥାନା ଅଧିକାରୀ ସଞ୍ଜୟ ପରିଡା, ଖୁଣ୍ଟା ଥାନା ଅଧିକାରୀ ଲୋପାମୁଦ୍ରା ନାୟକ ଓ ଇନ୍ସିପେକ୍ଟର ସୁଚିସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏବେ ନିୟମିତ ଭାବେ ବନବିଭାଗର କର୍ମଚାରୀ ଏବଂ ପୁଲିସର ମିଳିତ ସହଯୋଗରେ ଶିମିଳିପାଳ ଅଭୟାରଣ୍ୟ ଏବଂ ତାର ପାଦଦେଶରେ ଥିବା ଅଂଚଳରେ ବ୍ୟାପକ ଭାବେ ଖାନତଲାସ ଏବଂ କୋମ୍ବିଂ ଅପରେସନ ଜୋରଦାର କରାଯାଇଛି। ଏହି ଅବସରରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ବ୍ୟକ୍ତିମାନଙ୍କୁ ଏବଂ ଦେଶୀ ବନ୍ଧୁକ ତିଆରି କରୁଥିବା ବ୍ୟକ୍ତିମାନଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ସେମାନେ ସ୍ୱଇଛାରେ ଚଳିତ ମାସ ୩୦ତାରିଖ ମଧ୍ୟରେ ପୁଲିସ ନିକଟରେ ଜମା କରି ପୁରସ୍କୃତ ହୁଅନ୍ତୁ ଅନ୍ୟଥା ଗିରଫ ହେବା ପାଇଁ ପ୍ରସ୍ତୁତ ରହିବାକୁ ପୁଲିସ ପକ୍ଷରୁ ଚେତାବନୀ ଦେଇଛନ୍ତି।