ବାରିପଦା: ମୟୂରଭଞ୍ଜ ଜିଲ୍ଲା ପୁଲିସକୁ ପୁଣି ମିଳିଛି ବଡଧରଣର ସଫଳତା। ଶିମିଳିପାଳ ଜୈବମଣ୍ଡଳ ପାଦଦେଶରେ ଥିବା ଗାଁ ତଥା ଆଖପାଖ ଗାଁ ଗୁଡିକରେ ବନ୍ୟଜନ୍ତୁ ଶିକାର ପାଇଁ ବ୍ୟବହୃତ ବନ୍ଧୁକ ସମେତ ସମସ୍ତ ମାରଣାସ୍ତ୍ର ଗୁଡିକୁ ପୁଲିସ ନିକଟରେ ସମର୍ପଣ କରିବାକୁ ସଚେତନ କରାଯିବା ପରେ ବଡ଼ସାହି ପୁଲିସ ରେଣ୍ଟାସାହିରୁ ୧୬ଟି ଏବଂ ଚନ୍ଦନଚତୁରୀ ଲୋଧାସାହିରୁ ୧୨ଟି ଏହିପରି ଦୁଇଟି ପୃଥକ ଚଢ଼ଉରେ ମୋଟ ୨୮ଟି ହାତ ତିଆରି ଦେଶୀବନ୍ଧୁକ ଜବତ କରି ପୃଥକ ମାମଲା ରୁଜୁ କରିଛି। ବିଶ୍ୱସ୍ତ ସୂତରୁ ଖବର ପାଇ ବଡ଼ସାହି ସୋମବାର ଅପରାହ୍ନରେ ପ୍ରଥମେ ରେଣ୍ଟାସାହି ଇଲାକାରେ ପୁଲିସ ବୁଦାମୂଳରେ ଲୁଚାଇ ରଖଯାଇଥିବା ୧୬ଟି ହାତତିଆରି ଦେଶୀବନ୍ଧୁକ ଜବତକରି ଥାନାକୁ ଆଣିଥିଲେ।
ସେହିଭଳି ସୋମବାର ସନ୍ଧ୍ୟାରେ ଚନ୍ଦନଚତୁରୀ ଲୋଧାସାହି ଗ୍ରାମରେ ଅନୁରୂପ ବୁଦା ମୂଳରେ ଲୁଚାଇ ରଖଯାଇଥିବା ୧୨ଟି ହାତତିଆରି ଦେଶୀବନ୍ଧୁକ ଜବତ କରାଯାଇଛି। ଏନେଇ ବଡ଼ସାହି ଥାନାରେ ଯଥାକ୍ରମେ ୩୧୪ ଏବଂ ୩୧୫ ନମ୍ବରରେ ଦୁଇଟି ପୃଥକ ମାମଲା ରୁଜୁକରାଯାଇ ତଦନ୍ତ ଜାରି ରହିଛି। ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ ଉଦ୍ଦେଶ୍ୟରେ ଜୁନ ୧୮ତାରିଖରୁ ଜିଲ୍ଲା ପୁଲିସ ପକ୍ଷରୁ ଆରମ୍ଭ ତଲାସୀ ଅଭିଯାନରେ ଏପର୍ଯ୍ୟନ୍ତ ୧୪ଟି ମାମଲାରେ ୭୮ଟି ବନ୍ଧୁକ ଗୋଟିଏ ବନ୍ଧୁକ ତିଆରି କାରଖାନା ଜବତ ସହିତ ୨୦ଜଣଙ୍କୁ ଗିରଫ କରଯାଇଛି। ୪ପ୍ଲାଟୁନ ପୁଲିସ ଫୋର୍ସ ଏହି ଅଭିଯାନରେ ନିୟୋଜିତ ଅଛନ୍ତି।