ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ ଫେଲ୍ ହେଲେ ନିଜକୁ ଡିଏସ୍‍ପି ପରିଚୟ ଦେଇ କରିଥିଲେ ୫ ମହିଳାଙ୍କୁ ବିବାହ

କଟକ : ନିଜକୁ ପୁଲିସ୍ ଡିଏସ୍‍ପି ବୋଲି କହୁଥିଲା। ଯେଉଁ ସ୍ଥାନକୁ ଯାଉଥିଲା ସେଠାରେ ସମ୍ପର୍କ ଯୋଡ଼ି ବିବାହ କରୁଥିଲା। ଏପରିକି ରାଜ୍ୟ ତଥା ରାଜ୍ୟ ବାହାରର ୫ଜଣ ମହିଳାଙ୍କୁ ବିବାହ କରି ସାରିଥିଲା। ଷଷ୍ଠ ବିବାହ କରିବାକୁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଏହି ଠକ ହେଉଛି ନୟାଗଡ଼ ଜିଲ୍ଲା ପାମ୍ପରା ଅଞ୍ଚଳର ବଳରାମ ପ୍ରହରାଜ। ସେ ଆଠଗଡ଼, ଅନୁଗୁଳ, ନରସିଂହପୁର, ଖୋର୍ଦ୍ଧା ଆଦି ଅଞ୍ଚଳରେ ପୁଲିସ ପରିଚୟ ଦେଇ ସ୍ଥାନ ବଦଳାଉଥିଲା। […]

କଟକ : ନିଜକୁ ପୁଲିସ୍ ଡିଏସ୍‍ପି ବୋଲି କହୁଥିଲା। ଯେଉଁ ସ୍ଥାନକୁ ଯାଉଥିଲା ସେଠାରେ ସମ୍ପର୍କ ଯୋଡ଼ି ବିବାହ କରୁଥିଲା। ଏପରିକି ରାଜ୍ୟ ତଥା ରାଜ୍ୟ ବାହାରର ୫ଜଣ ମହିଳାଙ୍କୁ ବିବାହ କରି ସାରିଥିଲା। ଷଷ୍ଠ ବିବାହ କରିବାକୁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଏହି ଠକ ହେଉଛି ନୟାଗଡ଼ ଜିଲ୍ଲା ପାମ୍ପରା ଅଞ୍ଚଳର ବଳରାମ ପ୍ରହରାଜ। ସେ ଆଠଗଡ଼, ଅନୁଗୁଳ, ନରସିଂହପୁର, ଖୋର୍ଦ୍ଧା ଆଦି ଅଞ୍ଚଳରେ ପୁଲିସ ପରିଚୟ ଦେଇ ସ୍ଥାନ ବଦଳାଉଥିଲା। ପ୍ରତ୍ୟେକ ସ୍ଥାନରେ ନିଜକୁ ଅବିବାହିତ ବୋଲି କହୁଥିଲା। ଓଡ଼ିଶାର ୪ଟି ସ୍ଥାନରେ ମିଛ ପରିଚୟ ଦେଇ ବିବାହ ମଧ୍ୟ କରି ନେଇଥିଲା। ଏପରିକି ନାଗାଲାଣ୍ଡରେ ମଧ୍ୟ ଜଣେ ମହିଳାଙ୍କୁ ବିବାହ କରିଥିବା ପୁଲିସ ଜାଣିବାକୁ ପାଇଛି।

ମିଳିଥିବା ସୂଚନା ଅନୁସାରେ, ବଳରାମ ପ୍ରହରାଜ ବିବାହିତ । ଘରେ ତାର ପିଲା ଓ ପତ୍ନୀ ଅଛନ୍ତି । ତେବେ ସେ ମାଟ୍ରିମୋନି ସାଇଟ୍‌ରେ ନିଜର ନକଲି ଆଇଡି କରି ନିଜକୁ ସିଆର୍‌ପିଏଫ୍‌ର ଡିଏସ୍‌ପି ବୋଲି ପରିଚୟ ଦେଉଥିଲା । ଏହି ଆଇଡିକୁ ଦେଖି ବହୁ ଯୁବତୀ ଆକୃଷ୍ଟ ମଧ୍ୟ ହେଉଥିଲେ । ଜଣେ ଆଦିବାସୀ ଶିକ୍ଷୟିତ୍ରୀଙ୍କୁ ଶେଷ ଥର ପାଇଁ ବିବାହ କରିଥିଲା ବଳରାମ । ଠକର କାରନାମା ଜଣା ପଡ଼ିବା ପରେ ଶିକ୍ଷୟିତ୍ରୀ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଆଧାରରେ ନୟାଗଡ଼ ଜିଲ୍ଲା ରଣପୁର ପାମ୍ପଡ଼ାର ବଳରାମ ପ୍ରହରାଜ(୪୫)କୁ ପୁଲିସ ଗିରଫ କରିଛି। ତା ମୋବାଇଲ୍‌ ଓ ଲାପଟପ୍‌ରୁ ଏକାଧିକ ମହିଳାଙ୍କ ସହିତ ବିବାହର ଫଟୋ ପୁଲିସ ଜବତ କରିଛି। ପୁଲିସ ପୋଷାକରେ ଉଠାଇଥିବା ଫଟୋ ବି ପୁଲିସ ତା ମୋବାଇଲ୍‌ରୁ ଜବତ କରିଛି। ୪ଟି ମୋବାଇଲ୍‌ ଫୋନ୍‌, ପେନ୍‌ ଡ୍ରାଇଭ୍‌, ସ୍କୁଟି, ବାଇକ୍‌ ଜବତ ହୋଇଥିବା ସୂଚନା ମିଳିଛି।

ଠକ ବଳରାମର ପ୍ରକୃତ ଘର ନୟାଗଡ଼ ହୋଇଥିବା ବେଳେ ସେ ନିଜକୁ ନୂଆପଡ଼ା ଜିଲ୍ଲା ଖରିଆର‌୍‌ର କୈଳାଶ ଚନ୍ଦ୍ର ମିଶ୍ର ପରିଚୟ ଦେଇ ମାଟ୍ରିମୋନି ୱେବ‌ସାଇଟ୍‌ରେ ବିବାହ ପାଇଁ ଆକାଉଣ୍ଟ ଖୋଲିଥିଲା। ଘରେ ତାର ସ୍ତ୍ରୀ ଓ ଦୁଇ ଛୁଆ ଥିବା ବେଳେ ମାଟ୍ରିମୋନି ସାଇଟ୍‌ରେ ଯୁବତୀଙ୍କୁ ଫସାଇବାକୁ ଗଲା ୫ ବର୍ଷ ତଳେ ଯୋଜନା କରିଥିଲା। ବଳରାମ ନିଜ ସ୍ତ୍ରୀ ସମେତ ନୟାଗଡ଼ ସମେତ ନାଗାଲାଣ୍ତ, ଖୋର୍ଧା, ଅନୁଗୁଳକୁ ମିଶାଇ ପ୍ରାୟ ୫ ଜଣଙ୍କୁ ମାଟ୍ରିମୋନି ସାଇଟ୍‌ ମାଧ୍ୟମରେ ବିବାହ କରିଥିଲା। ଅନୁଗୁଳର ଜଣେ ଯୁବତୀ କଟକ ନରସିଂହପୁରେ  ଶିକ୍ଷକତା କରୁଥିବା ବେଳେ ତାଙ୍କୁ ବଳରାମ ଢେଙ୍କାନାଳର ଏକ ମନ୍ଦିରରେ ୨୦୧୯ରେ ବିବାହ କରିଥିଲା। ତାଙ୍କ ନିକଟକୁ ଏକ ନମ୍ବର ବିହୀନ ଗାଡ଼ିରେ ନିୟମିତ ଆସୁଥିଲା। ଯେତକ ଯୁବତୀଙ୍କୁ ଏହି ଠକ ବିବାହ କରିଛି, ସମସ୍ତଙ୍କୁ କିନ୍ତୁ ସେ ଭଡ଼ା ଘରେ ରଖୁଥିଲା। ନିଜେ ବ୍ରାହ୍ମଣ ପରିଚୟ ଦେଉଥିବା ବେଳେ ଅନ୍ୟ ଜାତିର ଯୁବତୀଙ୍କୁ ବିବାହ କରୁଥିବାରୁ ଘରେ ଗ୍ରହଣ କରୁନଥିବା କହି ସମସ୍ତଙ୍କୁ ବାହାରେ ଘର ଭଡ଼ା ନେଇ ରଖୁଥିଲା। କିଛି ମାସ ରହିବା ପରେ ସମ୍ପୃକ୍ତ ଯୁବତୀଙ୍କ ଏଟିଏମ୍‌ କାର୍ଡ, ସୁନା ଅଳଙ୍କାର ନେଇ ଚମ୍ପଟ୍‌ ମାରୁଥିଲା।

ନରସିଂହପୁର ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ବି ସେୟା ଘଟିଥିଲା। ଶୁକ୍ରବାର ଶିକ୍ଷୟିତ୍ରୀଙ୍କ ଏକ ସ୍କୁଟି ନିଜ ନାଁକୁ ଟ୍ରାନ୍ସଫର‌୍‌ କରିବା ପାଇଁ କଟକ ଆରଟିଓକୁ ଆସିଥିଲେ। ଆରଟିଓ ଅଫିସ ବାହାରେ ଉଭୟଙ୍କ ମଧ୍ୟରେ ବିବାହକୁ ନେଇ ପାଟିତୁଣ୍ତ ହୋଇଥିଲା। ଏ ସଂକ୍ରାନ୍ତରେ ଶିକ୍ଷୟିତ୍ରୀ ଜଣକ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତାକୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଥିଲା। କାରଣ ବଳରାମ ପୁଲିସ ଆଗରେ ନିଜକୁ ଡିଏସ୍‍ପି ଭାବେ ପରିଚୟ ଦେଇଥିଲା। ହେଲେ ବଳରାମ ନକଲି ପୁଲିସ ବୋଲି ଲାଲାବାଗ ଥାନା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ଏପରିକି ବଳରାମ ଏକାଧିକ ମହିଳାଙ୍କୁ ମିଛ ପୁଲିସ ଅଧିକାରୀ ପରିଚୟ ଦେଇ ବିବାହ କରିଥିବା ଜଣାପଡ଼ିଥିଲା। ତାକୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଆଶୁତୋଷ ମିଶ୍ର କହିଛନ୍ତି।

About The Author: The Sakala