ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

କେନ୍ଦୁଝର/ତେଲକୋଇ: ଘର ପାଖରେ ଜଙ୍ଗଲ। ସେଠାରେ ଏକ ଦରଭଙ୍ଗା ଗଛ ଉପରେ ବସିଛନ୍ତି ଜଣେ ଛାତ୍ର। ଏକାଗ୍ର ଚିତ୍ତରେ ପାଠ ପଢୁଛନ୍ତି। ଘରୁ ବାହରି ଜଙ୍ଗଲରେ ଛେଳି ଚରାଇବା ସହ ସେଠାରେ ବସି ପାଠ ମଧ୍ୟ ପଢ଼ୁଛନ୍ତି। ଏଥିସହ ପରଘରେ ମୂଲ ଲାଗି ନିଜ +୩ ଆଡମିସନ୍‌ ପାଇଁ ସେ ଟଙ୍କା ଯୋଗାଡ଼ କରୁଛନ୍ତି। ଏ ହେଉଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡ଼ଙ୍ଗ ଗାଁର ମାନସ ଦେହୁରୀଙ୍କର କରୁଣ କାହାଣୀ।

ମାନସ ଜଣେ ମେଧାବୀ ଛାତ୍ର। ସେ ଧରଣୀଧର ବିଶ୍ୱବିଦ୍ୟାଳୟରୁ ଏ ବର୍ଷ ୮୫ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ମାନସଙ୍କ ବାପା ବେଣୁଧର ଆରପାରିକୁ ଚାଲିଯିବା ପରେ ତାଙ୍କ ଘରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ବଡ଼ଭାଇ ଟୁକୁନା ବାହାରେ ଦାଦନ ଖଟୁଛନ୍ତି। ଆଗକୁ ପ୍ରଶାସନିକ ସେବାରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ମାନସ ନିଜର +୩ ଆଡ଼ମିସନ୍‌ ପାଇଁ ଛେଳି ଚରାଇବା ସହିତ ପର ଘରେ ମୂଲ ଲାଗୁଛନ୍ତି। ସରକାର ତାଙ୍କ ପ୍ରତି ସହାୟତାର ହାତ ବଢ଼ାଇଲେ ମାନସ ତାଙ୍କ ସ୍ୱପ୍ନ ସାକାର କରିପାରିବେ ବୋଲି କହିଛନ୍ତି। ୨୦୨୪ ମସିହାରେ କାଦକଳା ଉଚ୍ଚବିଦ୍ୟାଳୟରୁ ସେ ୭୦% ମାର୍କ ରଖି ମାଟ୍ରିକ ପାସ୍‌ କରିଥିଲେ। ଏହାପରେ ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୮୫ ପ୍ରତିଶତ ମାର୍କ ରଖି +୨ ପାସ୍‌ କଲେ୤ +୨ ପରୀକ୍ଷା ସମୟରେ ବାପା ବେଣୁଧର ଆରପାରିକୁ ଚାଲିଗଲେ। ତେଣୁ ଅର୍ଥ ଅଭାବରୁ ବଡ଼ଭାଇ ପାଠ ଛାଡ଼ି ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି। ତେବେ ପାଠପଢ଼ି ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଥିବା ମାନସ ଅର୍ଥ ଅଭାବରୁ ନିଜର ଆଡ଼ମିସନ୍‌ କିପରି କରିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି। +୩ ଆଡମିସନ୍‌ ସହ ପୁଅର ଉଚ୍ଚଶିକ୍ଷା ପାଇଁ ସରକାର ସହାୟତା କରିବାକୁ      ଆକୁଳ ନିବେଦନ କରିଛନ୍ତି ମାନସଙ୍କ ମା’।

About The Author: Madhusudan Das