ଭୁବନେଶ୍ୱର : ଖୁବ୍ଶିଘ୍ର ଆରମ୍ଭ ହେବ କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ। ୨୨୦କୋଟି ଟଙ୍କା ବ୍ୟୟ ଅଟକଳରେ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ ଆରମ୍ଭହେବା ନେଇ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଭୁବନେଶ୍ୱରର ଖାରବେଳ ଭବନରେ ଗୁରୁବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ରିଭରଫ୍ରଣ୍ଟ ପ୍ରକଳ୍ପ ଡିପିଆରକୁ ରାଜ୍ୟ ସରକାରଙ୍କ ଅନୁମୋଦନଦେଇ ସାରିଛନ୍ତି। ପ୍ରକଳ୍ପ ପାଇଁ ୨୨୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଆବଶ୍ୟକ ପଡ଼ିଲେ ଅଧିକ ବ୍ୟୟ କରାଯିବ। ଏଠାରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା, ଫୁଡ୍ କୋର୍ଟ, ଷ୍ଟଲ, ସ୍ପୋର୍ଟସ, ପିକନିକ ସ୍ପଟ୍, ଥିମ୍ ପାର୍କ, ଓପନ ଏଆର୍ ଆମ୍ପି ଥିଏଟର, ସେନ୍ସରୀ ପାର୍କ, ସନ୍ସେଟ୍ ଡେକ୍, ବଟର ଫ୍ଲାଏ ଗାର୍ଡେନ, ସେନ୍ସରୀ ପାର୍କ ନିର୍ମାଣ କରାଯିବା ନେଇ ଯୋଜନା ହୋଇଛି। ଏହା ସଂପୂର୍ଣ୍ଣ ଭାବେ ଇକୋ ଫ୍ରେଣ୍ଡଲି ହେବ। ଆସନ୍ତା ବାଲିଯାତ୍ରା ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ସିଡିଏ ଏହି କାମକୁ ତ୍ୱରାନ୍ୱିତ କରିବ। ୨୮୨ ଏକର ସ୍ଥାନକୁ ଉନ୍ନତିକରଣ କରାଯିବ। ବାଲିଯାତ୍ରା ପଡ଼ିଆ ପାଇଁ ୬୦ଏକର ଜମି ଉନ୍ନତୀକରଣ କାମ ହାତକୁ ନିଆଯିବ। ଏନ୍ଜିଟିର ଗାଇଡ ଲାଇନକୁ ଦୃଷ୍ଟିରେ ରଖି ପ୍ରକଳ୍ପ କାର୍ଯ୍ୟ ଆଗକୁ ନିଆଯିବ। ଆସନ୍ତା ୩ ବର୍ଷ ମଧ୍ୟରେ କାମ ଶେଷ ହେବ। ଏହି ଅଞ୍ଚଳରେ ଥିବା ବସ୍ତିଗୁଡ଼ିକୁ ଉଚ୍ଛେଦ କରାଯିବ। ଉଚ୍ଛେଦ ହୋଇଥିବା ଲୋକଙ୍କୁ ଆଫୋଡେବୁଲ୍ ହାଉସିଂ ଯୋଜନାରେ ଘର ଯୋଗେଇ ଦିଆଯିବ। ଏହି ପ୍ରକଳ୍ପ ୪୦୦କୋଟି ଛୁଇଁବା ନେଇ ଆଶା କରାଯାଉଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି। ସେପଟେ ରିଭର ଫ୍ରଣ୍ଟରେ କଂକ୍ରିଟ ନିର୍ମାଣ କରାଯିବ ନାହିଁ। ଏହା ସହିତ ସମ୍ପୂର୍ଣ୍ଣ ସ୍ଥାନର ଏକ ତୃତୀୟାଂଶ ସ୍ଥାନ ବନୀକରଣ କରାଯିବ ବୋଲି ଜଣାପଡ଼ିଛି।
ବୈଠକରେ କଟକ ସାଂସଦ ଭର୍ତୁହରି ମହତାବ, ବିଧାୟକ ସୋଫିଆ ଫିର୍ଦ୍ଦେସ, ବିଧାୟକ ସୋଭିକ ବିଶ୍ୱାଳ, ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ମେୟର ସୁବାସ ସିଂ, ବିଭାଗର ପ୍ରମୁଖ ଶାସନସଚିବ ଉଷା ପାଢ଼ୀ ଓ ବିଭାଗୀୟବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏନେଇ ସିଏମ୍ସି ମେୟର ସୁବାଷ ସିଂ କହିଛନ୍ତି ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମହାନଦୀ ଉନ୍ନତୀକରଣକୁ ନେଇ ୨୦୨୦ ମସିହାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହା ୪୨୦ ଏକର ପରିମିତ ଯୋଜନା ଥିଲା। ଏଥିରେ ଖେଳପଡ଼ିଆର ଉନ୍ନତୀକରଣ, ଏସିବିର ମେଡିକାଲ୍ର ଉନ୍ନତୀକରଣ, ମହାନଦୀ ସୌନ୍ଦର୍ଯୀକରଣ ସହ ଏକାଧିକ ପ୍ରକଳ୍ପ ସାମିଲ ରହିଥିଲା। ଏନେଇ ଡିପିଆର ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା। ହେଲେ ପରବର୍ତ୍ତି ସମୟରେ ଗ୍ରୀନ୍ ଟ୍ରିବ୍ୟୁନାଲରେ ଚ୍ୟାଲେଞ୍ଜ୍ କରାଯିବାରୁ ପ୍ରକଳ୍ପ କାର୍ଯ୍ୟ ଅଟକି ଯାଇଥିଲା। ନୂତନ ସରକାରଙ୍କ ମହାନଦୀ ଅବବାହିକା ବିକାଶ ଯୋଜନା ଏହାର ଏକ ନକଲ। ଏଥିରେ ନୂତନତ୍ୱ କିଛି ନାହିଁ। ଏହା ରଙ୍ଗବଦଳା ଯୋଜନା ବୋଲି ମେୟର ଶ୍ରୀଯୁକ୍ତ ସିଂ କହିଛନ୍ତି।