ଖଣ୍ଡଗିରିରେ ପୁଣି ଦୌଡ଼ିବ ଖାରବେଳଙ୍କ ଘୋଡ଼ା : ଖୁବ୍‌ଶୀଘ୍ର ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’

ଭୁବନେଶ୍ୱର : ପୁଣି ଖଣ୍ଡଗିରି ପାହାଡ଼ରେ ଦୌଡ଼ିବ ଖାରବେଳଙ୍କ ଘୋଡ଼ା। ଗୁରୁଗମ୍ଭୀର ସ୍ବରରେ ଶୁଭିବ ମହାମେଘବାହନଙ୍କ କୃତି ଓ କୀର୍ତ୍ତିର ଗାଥା। ଏଥିପାଇଁ ତତ୍ପର ହୋଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଦୀର୍ଘବର୍ଷ ଧରି ଅଚଳ ହୋଇ ପଡ଼ି ରହିଥିବା ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ଶୋ’ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଖୁବ୍‌ଶୀଘ୍ର ଏହି ସୋ’ ଆରମ୍ଭ କରାଯିବ। ପୂର୍ବରୁ ଯେଉଁ ସଂସ୍ଥା ଏହାର ଦାୟିତ୍ୱ ଗ୍ରହଣ କରିଥିଲା ପୁନର୍ବାର […]

ଭୁବନେଶ୍ୱର : ପୁଣି ଖଣ୍ଡଗିରି ପାହାଡ଼ରେ ଦୌଡ଼ିବ ଖାରବେଳଙ୍କ ଘୋଡ଼ା। ଗୁରୁଗମ୍ଭୀର ସ୍ବରରେ ଶୁଭିବ ମହାମେଘବାହନଙ୍କ କୃତି ଓ କୀର୍ତ୍ତିର ଗାଥା। ଏଥିପାଇଁ ତତ୍ପର ହୋଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଦୀର୍ଘବର୍ଷ ଧରି ଅଚଳ ହୋଇ ପଡ଼ି ରହିଥିବା ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ଶୋ’ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଖୁବ୍‌ଶୀଘ୍ର ଏହି ସୋ’ ଆରମ୍ଭ କରାଯିବ। ପୂର୍ବରୁ ଯେଉଁ ସଂସ୍ଥା ଏହାର ଦାୟିତ୍ୱ ଗ୍ରହଣ କରିଥିଲା ପୁନର୍ବାର ଉକ୍ତ ସଂସ୍ଥା ପକ୍ଷରୁ ନୂତନ ଭାବେ ମେସିନ୍‌ଗୁଡ଼ିକ ଇନ୍‌ଷ୍ଟଲ୍‌ କରାଯାଇଛି। କେବଳ ବିଦ୍ୟୁତ୍‌ ସଂଯୋଗ ପରେ ଟେଷ୍ଟିଂ କରାଯାଇ ଏହି ସୋ’ କାର୍ଯ୍ୟକ୍ଷମ ହେବ। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପକ୍ଷରୁ ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟର ପ୍ରମୁଖ ଐତିହାସିକ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରହିଛି ଖଣ୍ଡଗିରି-ଉଦୟଗିରି। ଏଠାକୁ କେବଳ ଭୁବନେଶ୍ୱର ନୁହେଁ ବରଂ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ବର୍ଷତମାମ ଆସିଥା’ନ୍ତି। ବିଶେଷ କରି କୁମ୍ଭମେଳା ସାଙ୍ଗକୁ ନଭେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରତିଦିନ ଏଠାକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟନଙ୍କ ସୁଅ ଛୁଟେ। ତେବେ ପର୍ଯ୍ୟଟନ ବିଭାଗ ଓ ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟରେ ଦୋଷ ଠେଲାଠେଲିରେ ପ୍ରାୟ ୯ବର୍ଷ ବିତିଯିବା ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁପ୍ରତୀକ୍ଷିତ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’।

ସୂଚନା ଅନୁସାରେ, ୨୦୧୫ରେ ରାଜ୍ୟ ସରକାର ଓ ଇଣ୍ଡିଆ ଟୁରିଜିମ୍‌ ଡେଭଲପ୍‌ମେଣ୍ଟ୍‌ କରର୍ପୋରେସନ୍‌(ଆଇଟିଡିସି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଥିପାଇଁ ୬.୧୫କୋଟି ଟଙ୍କାର ବଜେଟ୍‌ କରାଯାଇଥିଲା। ସେଥିରୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ୫କୋଟି ଟଙ୍କା ସହଯୋଗ କରିଥିବା ସୂଚନା ରହିଛି। ଏହି ସ୍ଥାନ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ରହିଥିବାରୁ ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ଶୋ’ କରାଯିବାକୁ ବିଭାଗ ପକ୍ଷରୁ ଅନୁମତି ନିଆଯିବା ପରେ ମଧ୍ୟ ଆରମ୍ଭ ହୋଇପାରି ନ ଥିଲା ଏହି ପ୍ରକଳ୍ପ। ଏହି ସୋ’ରେ ରାଜ୍ୟର କଳାସଂସ୍କୃତି, ଜୈନ ଧର୍ମ ଏବଂ ଖାରବେଳଙ୍କ ଗରିମା ସମ୍ପର୍କରେ ଅବଗତ କରିବା ଲାଗି ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠରେ ରହିଥିବା ଅଡିଓ ଭଏସ୍‌ରେ ଶୁଣିବାକୁ ମିଳିବ। ଇଂରାଜୀ, ଓଡ଼ିଆ ଓ ବଙ୍ଗାଳୀ ଭାଷାରେ ଏହି ଶୋ’ ହେବାର ଯୋଜନା ରହିଛି। ଏଥିପାଇଁ ପୁନର୍ବାର ବିଭାଗ ପକ୍ଷରୁ ଅର୍ଥ ବ୍ୟୟ ବରାଦ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଏଠାରେ ରହିଥିବା ମେସିନ୍‌ଗୁଡ଼ିକ ପଡ଼ିରହି ନଷ୍ଟ ହୋଇଯିବାରୁ ନୂଆ ମେସିନ୍‌ଗୁଡ଼ିକ ଇନ୍‌ଷ୍ଟଲ କରାଯାଇଛି। ଏଥିପାଇଁ କଣ୍ଟ୍ରୋଲ ରୁମ୍‌, ସଫ୍ଟୱେୟାର ଆଣ୍ଡ ହାର୍ଡୱେୟାର ସାମଗ୍ରୀଗୁଡ଼ିକର ସମସ୍ତ କାର୍ଯ୍ୟ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେବଳ ଟେଷ୍ଟିଂକୁ ଅପେକ୍ଷା ରହିଛି। ବିଜୁଳି ସଂଯୋଗ କରାଯାଇ ଟେଷ୍ଟିଂ ସଫଳ ହେବା ପରେ ଚଳିତ ବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭରୁ ଏହି ଶୋ’ ପର୍ଯ୍ୟଟକମାନେ ଉପଭୋଗ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

About The Author: The Sakala