କଟକ: ଓଡ଼ିଆ ସମାଜସେବୀଙ୍କୁ ଭାରତୀୟ ଦଳର ପୂର୍ବତନ ସଦସ୍ୟ ତଥା କିମ୍ୱଦନ୍ତି ବ୍ୟାଟ୍ସମ୍ୟାନ୍ ଭିଭିଏସ ଲକ୍ଷ୍ଣଣଙ୍କ ପ୍ରଶଂସା । ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ତାଙ୍କର ନିସ୍ୱାର୍ଥପର ସେବା ପାଇଁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ଏହି ପୂର୍ବତନ କ୍ରିକେଟିୟର ଭି ଭି ଏସ ଲକ୍ଷ୍ମଣ । ଦଶନ୍ଧି ଦଶନ୍ଧି ଧରି ଅପରିଚିତ ମୃତଦେହକୁ ଆଣି ସତ୍କାର କରିବା ସହ ନିସହାୟ କ୍ୟାନସର ରୋଗୀଙ୍କ ଚିକିତ୍ସା କରି ଆସୁଛନ୍ତି ଅଭିମନ୍ୟୁ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମହମ୍ମଦ କୈଫ ମଧ୍ୟ ଟ୍ୱିଟ୍ କରି ଅଭିମନ୍ୟୁ ଙ୍କୁ ପ୍ରଶଂସା କରିଥିଲେ।
ଲକ୍ଷ୍ମଣ ଟ୍ୱିଟ୍ କରି ଲେଖିଛନ୍ତି ଯେ, କଟକର ୫୦ ବର୍ଷୀୟ ବୁକ୍ ବାଇଣ୍ଡର ଅଭିମନ୍ୟୁ ଦାସ ଅପରିଚତ ମୃତଦେହର ଅନ୍ତିମସଂସ୍କାର କରିଥାନ୍ତି । ସେ କର୍କଟ ରୋଗୀଙ୍କ ଯତ୍ନ ନେବା ନେଇ ମଧ୍ୟ ଜଣାଶୁଣା । ସେ ହଜାର ହଜାର ବାସହୀନ ଓ ଅସହାୟ କର୍କଟ ରୋଗୀଙ୍କ ଯତ୍ନ ମଧ୍ୟ ନେଉଛନ୍ତି । ତାଙ୍କର ଏଭଳି ନିସ୍ୱାର୍ଥପର ସେବାକୁ ସଲାମ୍ ଜଣାଇଛନ୍ତି ଭିଭିଏସ୍ ଲକ୍ଷ୍ମଣ ।
କଟକ ନେତାଜୀ ନଗରର ଅଭିମନ୍ୟୁ ଦାସ । ବୟସ ୫୦ ବର୍ଷ । ଏପର୍ୟ୍ୟନ୍ତ ଅଭିମନ୍ୟୁ ୧୨ ଶହରୁ ଅଧିକ ଶବ ସତ୍କାର କରିସାରିଲେଣି । ଅଭିମନ୍ୟୁ କହିଲେ କଟକ ବଡ ଡାକ୍ତରଖାନା ହେଉ କି ଆଚାର୍ୟ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ସଭିଏଁ ତାଙ୍କୁ ଜାଣନ୍ତି । ଯଦି କେହି ଚିକିତ୍ସା ପାଇଁ ହନ୍ତସନ୍ତ ହୁଅନ୍ତି ତେବେ ଖୋଜା ପଡନ୍ତି ଅଭିମନ୍ୟୁ । ଆଉ ଖବର ପାଇ ଅଭିମନ୍ୟୁ ବି ସଙ୍ଗେ ସଙ୍ଗେ ପହଞ୍ଚି ଯାଆନ୍ତି । ସେହିପରି ଅଚିହ୍ନା ଶବ ସତ୍କାର ପାଇଁ ସେ ସବୁ ବେଳେ ଆଗେଇ ଆସନ୍ତି । ଶବ ସତ୍କାର କେମିତି ହେବ? ଶବ କେମିତି ଶ୍ମସାନକୁ ନିଆଯିବ? ସବୁ କଥା ସେ ନିଜେ ବୁଝିଥାନ୍ତି । ନିଜ ପକେଟରୁ ହେଉ କିମ୍ବା କାହା ସହଯୋଗରେ ଟଙ୍କା ଯୋଗାଡ କରିଥାନ୍ତି । ଆଉ ଅସହାୟ ରୋଗୀଙ୍କୁ ସାହାଯ୍ୟ କରନ୍ତି । କେବଳ ସେତିକି ନୁହେଁ ପରିବାର ଛାଡି ପଳାଇ ଆସିଥିବା କ୍ୟାନ୍ସର ରୋଗୀଙ୍କୁ ରାସ୍ତାକଡରୁ କୋଳେଇ ନିଅନ୍ତି ଅଭିମନ୍ୟୁ ।
ତେବେ ଅଭିମନ୍ୟୁ ଏଯାବତ୍ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ଗରିବ କର୍କଟ ରୋଗୀଙ୍କ ସହାୟତା କରିବା ସହିତ ୧୩୦୦ ଶବ ସଂସ୍କାର କରିଛନ୍ତି । ସେ କୁହନ୍ତି ମୁଁ ଡାକ୍ତରଖାନାକୁ ଯାଇ ବୁଲି ଦେଖେ । ଅନେକ କର୍କଟ ରୋଗୀଙ୍କର କେହି ଦେଖାଶୁଣା କରିବାକୁ ନଥାନ୍ତି । ସେଠି ମୁଁ ସେମାନଙ୍କୁ ସହାୟତା କରେ । ୫୦ ବର୍ଷୀୟ ଅଭିମନ୍ୟୁ ଅତୀତରେ ନିଜ ବାପା, ମା, ଦାଦା ଆଦିଙ୍କୁ କ୍ୟାନସରରେ ହରାଇ ସାରିଛନ୍ତି ।