ନିର୍ବାଚନ ବେଳେ ଗାଁରେ ଚାଲିଛି ବ୍ୟାପକ ଚୋରା ମଦ ବେପାର: ବାଇକ ସହ ବିପୁଳ ମଦ ଜବତ, ୫ ଗିରଫ

ଭୋଗରାଇ: ଆସନ୍ତା ୧୬ ରେ ଭୋଗରାଇ ନିର୍ବାଚନ ମଣ୍ଡଳୀର ୬ ଜିଲ୍ଲାପରିଷଦ ଜୋନ ସମେତ ୫୦ ଟି ପଞ୍ଚାୟତରେ ଭୋଟଗ୍ରହଣ ହେବ। ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ଭୋଟଗ୍ରହଣ ଦିବସକୁ ଡ୍ରାଏ ଡେ ଭାବେ ଘୋଷଣା କରାଯାଇଥିଲା ବେଳେ ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବେପାର ଉପରେ ଜୋରଦାର କାର୍ଯ୍ଯାନୁଷ୍ଠାନ ଆରମ୍ଭ ହୋଇଛି। ଏନେଇ ଭୋଗରାଇ ଅବକାରୀ ଥାନା ପକ୍ଷରୁ ଲଗାତାର ଦୁଇଦିନ ଧରି କମର୍ଦ୍ଦା ଓ ଭୋଗରାଇ ଥାନା ଅଞ୍ଚଳର ବିଭିନ୍ନ […]

ଭୋଗରାଇ: ଆସନ୍ତା ୧୬ ରେ ଭୋଗରାଇ ନିର୍ବାଚନ ମଣ୍ଡଳୀର ୬ ଜିଲ୍ଲାପରିଷଦ ଜୋନ ସମେତ ୫୦ ଟି ପଞ୍ଚାୟତରେ ଭୋଟଗ୍ରହଣ ହେବ। ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ଭୋଟଗ୍ରହଣ ଦିବସକୁ ଡ୍ରାଏ ଡେ ଭାବେ ଘୋଷଣା କରାଯାଇଥିଲା ବେଳେ ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବେପାର ଉପରେ ଜୋରଦାର କାର୍ଯ୍ଯାନୁଷ୍ଠାନ ଆରମ୍ଭ ହୋଇଛି। ଏନେଇ ଭୋଗରାଇ ଅବକାରୀ ଥାନା ପକ୍ଷରୁ ଲଗାତାର ଦୁଇଦିନ ଧରି କମର୍ଦ୍ଦା ଓ ଭୋଗରାଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ପଶ୍ଚିମବଙ୍ଗ ମାର୍କା ଦେଶୀ ମଦ ଜବତ କରାଯାଇଥିବା ଜଣାପଡ଼ିଛି। ଏଥି ସହିତ ଏକ ବାଇକ, ଜଣେ ମହିଳା ଓ ୪ ଜଣ ପୁରୁଷ ଚୋରା ମଦ ବେପାରୀକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, କମର୍ଦ୍ଦା ଥାନା ସିଆଁରୁଇ ପଞ୍ଚାୟତ ଅନ୍ତର୍ଗତ ଉପଳାଟ ଗ୍ରାମର ଜନୈକ ଅବସରପ୍ରାପ୍ତ ଶିକ୍ଷକ ସୁକୁମାର ବୋଷ ନିଜ ଗାଁରେ ଏକ ଚେନାଚୁର ମିକଚର କାରଖାନା ବସାଇଥିଲା ବେଳେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଅନ୍ତର୍ଗତ ଅଳିତି ଗ୍ରାମର ଧନପତି ଦାସଙ୍କ ପୁଅ କାଳିପଦ ଦାସ ଏବଂ ଝାଡଖଣ୍ଡ ରାଜ୍ୟ ସଢେଇକଳା ଖରସୁଆଁ ଜିଲ୍ଲା ଜୁଗିଲଙ୍ଗ ଗ୍ରାମର ରୁପଚାନ୍ଦ ମାହାତୋଙ୍କ ପୁଅ ଚନ୍ଦନ ମାହାତୋ ଯଥାକ୍ରମେ କାରିଗର ଓ କର୍ମଚାରୀ ଭାବେ ଏଠାରେ କାର୍ଯ୍ଯରତ ରହିଛନ୍ତି। ଏହି କାରିଗର ଓ କର୍ମଚାରୀଙ୍କ ମାଧ୍ୟମରେ ଏଠାରୁ ପ୍ରସ୍ତୁତ ମିକଚର ବିଭିନ୍ନ ସ୍ଥାନକୁ ଯୋଗାଇଦେବା ବାହାନାରେ ବିପୁଳ ପରିମାଣର ଚୋରା ମଦ ଯୋଗାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏନେଇ ମିକଚର କାରଖାନାର ଏହି କାରିଗର ଓ କର୍ମଚାରୀଙ୍କ ଉପରେ ଅବକାରୀ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିଲା। ପଡୋଶୀ ଗୁଣସାର୍ଥା ପଞ୍ଚାୟତ ହଳଦୀମାଳ ଗାଁ ରାସ୍ତାରେ ଏହି ଦୁଇଜଣ ପୃଥକ ଭାବେ ମଦ ନେଇ ଯାଉଥିବା ସମୟରେ କର୍ମଚାରୀ ଚନ୍ଦନ ମାହାତୋକୁ ୪୧ ଲିଟର ପଶ୍ଚିମବଙ୍ଗ ମାର୍କା ଦେଶୀ ମଦ ସହିତ ଗିରଫ କରାଯାଇଛି। ପରେ ସେହି ରାସ୍ତାର ଅନ୍ୟ ଏକ ସ୍ଥାନରୁ କାରଖାନାର ମାଲିକ ଶ୍ରୀ ବୋଷଙ୍କ ହିରୋ ସୁପର ସ୍ପେଲେଣ୍ଡର ବାଇକ ( ଓଆର-୦୧ୟୁ-୩୧୭୩ ) ସହିତ ୭୦ ଲିଟର ପଶ୍ଚିମବଙ୍ଗ ମାର୍କା ଦେଶୀ ମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଏହି ଗିରଫ ଦୁଇ କାରିଗରଙ୍କ ବିରୋଧରେ ଭୋଗରାଇ ଅବକାରୀ ଥାନା ପିଆର କେସ ନଂ ଯଥାକ୍ରମେ ୧୧୪ ଓ ୧୧୫/୨୦୨୧-୨୨ ରେ ପୃଥକ ଦୁଇଟି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ଭୋଗରାଇ ଥାନା ଅନ୍ତର୍ଗତ କୁମାରଜାଲିନା ରାସ୍ତାରେ ଘଣ୍ଟିଲୋଡି ଗ୍ରାମର ରାଧାଶ୍ୟାମ ଜେନାଙ୍କ ପୁଅ ସୁଶାନ୍ତ ଜେନାଙ୍କୁ ୨୦ ଲିଟର ପଶ୍ଚିମବଙ୍ଗ ମାର୍କା ଦେଶୀ ମଦ ସହିତ ଗିରଫ କରାଯାଇଥିଲା ବେଳେ କମର୍ଦ୍ଦା ଥାନା ଅନ୍ତର୍ଗତ ନହରା ରାସ୍ତାରୁ ନହରା ଗ୍ରାମର ଭୂବନ ଚନ୍ଦ୍ର ଜେନାଙ୍କ ପୁଅ ସୁବୋଧ କୁମାର ଜେନାଙ୍କୁ ୪୨ ଲିଟର ପଶ୍ଚିମବଙ୍ଗ ମାର୍କା ଦେଶୀ ମଦ ସହ ଗିରଫ କରାଯାଇଛି। ସେହିପରି ଭୋଗରାଇ ଥାନା ଅନ୍ତର୍ଗତ ଅଲାଲବିନ୍ଧା ଛକରେ ଥିବା ଏକ ଅସ୍ଥାୟୀ କେବିନ ଉପରେ ଚଢାଉ କରାଯାଇ ୧୭୦ ଲିଟର ପଶ୍ଚିମବଙ୍ଗ ମାର୍କା ଦେଶୀମଦ ସହିତ ସେହି ଗ୍ରାମର ଜଗନ୍ନାଥ ରଣାଙ୍କ ପୁଅ ସବିତା ରଣାକୁ ଗିରଫ କରାଯାଇଛି। ଗିରଫ ଚୋରା ମଦ ବେପାରୀ ମାନଙ୍କ ବିରୋଧରେ ଭୋଗରାଇ ଅବକାରୀ ଥାନା କେସ ନଂ ୧୧୨,୧୧୩ ଓ ୧୧୬/୨୧-୨୨ ରେ ପୃଥକ ତିନୋଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି।

About The Author: The Sakala