କୋରାପୁଟ: ମାଛ ଧରୁଥିବା ବେଳେ ଭାସିଗଲେ ଶିକ୍ଷକ । ଉଦ୍ଧାର ପାଇଁ ଜାରି ରହିଛି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ର ଅପରେସନ୍। ମାଛ ଧରିବାକୁ ଯାଇଥିବା ବେଳେ କୋଲାବ ନଦୀର ପ୍ରବଳ ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଶିକ୍ଷକଙ୍କ ନାମ ଭୀମାଧର ନାୟକ ଏବଂ ସେ ବଙ୍ଗଳାଗୁଡା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ସେ ମାଛଲିପୁଟ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଶ୍ରୀ ନାୟକ ନିଜର ଜଣେ ସାଙ୍ଗଙ୍କ ସହ କୋଲାବ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ସେମାନେ କୋରାପୁଟ-ଦାମନଯୋଡ଼ି ରାସ୍ତାର ଇଣ୍ଟେକ୍ ରୋଡ୍ ନିକଟସ୍ଥ ନଦୀ କୂଳରେ ଥିବା ବେଳେ ହଠାତ୍ ନଦୀର ପ୍ରବଳ ସ୍ରୋତ ଆସିଯାଇଥିଲା। ଏହି ସ୍ରୋତରେ ଭୀମାଧର ନାୟକ ଭାସି ଯାଇଥିଲେ। ତାଙ୍କ ସାଙ୍ଗ କୌଣସି ମତେ ପହଁରି ପହଁରି କୂଳକୁ ଆସି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ, କିନ୍ତୁ ଶ୍ରୀ ନାୟକଙ୍କର କୌଣସି ପତ୍ତା ମିଳିନଥିଲା।
ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ଅଗ୍ନିଶମ ବିଭାଗ ପକ୍ଷରୁ ନିଖୋଜ ଶିକ୍ଷକଙ୍କୁ ଖୋଜିବା ପାଇଁ ତଲାସି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ନଦୀରେ ପ୍ରବଳ ଜଳସ୍ରୋତ ଥିବାରୁ ଉଦ୍ଧାରକାରୀ ଦଳ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ଘଟଣା ପରେ ଶ୍ରୀ ନାୟକଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଶେଷ ରିପୋର୍ଟ ସୁଦ୍ଧା ଉଦ୍ଧାରକାରୀ ଦଳ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛନ୍ତି।