ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରି ପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ସୋମବାର ସକାଳେ ପୁଣି ଥରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ଘଟିଛି। ସୂଚନା ମୁତାବକ, ସୋମବାର ଭୋର ସମୟରେ ପୁଞ୍ଜିଆମା ଗ୍ରାମର ପାଣ୍ଡବ ପ୍ରଧାନଙ୍କ ସ୍ତ୍ରୀ ରଞ୍ଜନା ପ୍ରଧାନ ଘର ପଛ ପାର୍ଶ୍ବ ଜମିକୁ ଶୌଚ ହେବା ପାଇଁ ଯାଇ ଥିବା ବେଳେ ହଠାତ୍ ଏକ ଦାନ୍ତ ହାତୀ ସେଠାକୁ ଆସି ମହିଳାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା। ଫଳରେ ରଞ୍ଜନା ଗୁରୁତର […]

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରି ପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ସୋମବାର ସକାଳେ ପୁଣି ଥରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ସୋମବାର ଭୋର ସମୟରେ ପୁଞ୍ଜିଆମା ଗ୍ରାମର ପାଣ୍ଡବ ପ୍ରଧାନଙ୍କ ସ୍ତ୍ରୀ ରଞ୍ଜନା ପ୍ରଧାନ ଘର ପଛ ପାର୍ଶ୍ବ ଜମିକୁ ଶୌଚ ହେବା ପାଇଁ ଯାଇ ଥିବା ବେଳେ ହଠାତ୍ ଏକ ଦାନ୍ତ ହାତୀ ସେଠାକୁ ଆସି ମହିଳାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା। ଫଳରେ ରଞ୍ଜନା ଗୁରୁତର ଆହତ ହୋଇ ପଡି ଥିଲେ। ଗ୍ରାମବାସୀ ବହୁ ଚେଷ୍ଟା କରି ହାତୀକୁ ସେଠାରୁ ଘଉଡାଇ ବାଲୁଗାଁ ରେଞ୍ଜ ଅଧିନ ଧୂଆଁନଲି ସେକ୍ସନ ଫରେଷ୍ଟ ବିଭାଗକୁ ଖବର ଦେଇ ଥିଲେ। ଖବର ପାଇ ସଙ୍ଗେସଙ୍ଗେ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକ ଓ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ନିଳାଦ୍ରୀ ପ୍ରାସାଦ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତ୍ତି କରାଇ ଥିଲେ। ହେଲେ ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରି ପୋଲିସକୁ ଏସମ୍ପର୍କରେ ସୂଚନା ଦେଇ ଥିଲେ। ବାଣପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି।

ଅନ୍ୟ ପକ୍ଷରେ ଏହି ଭଳି ଘଟଣା ମାନ ବାରମ୍ବାର ଘଟୁ ଥିବାରୁ ଏହି ଘଟଣାକୁ ନେଇ ଗ୍ରାମରେ ଏକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇ ଥିବା ବେଳେ ଗ୍ରାମବାସୀ ମାନେ ଫରେଷ୍ଟ ବିଟ୍ ହାଉସ୍ ନିକଟରେ ରାସ୍ତା ଅବରୋଧ କରି ବସି ଥିଲେ। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ, ସ୍ଥାନୀୟ ସରପଞ୍ଚ, ବାଣପୁର ବ୍ଲକ ଅଧ୍ୟକ୍ଷ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁ ଥିବାର ଦେଖିବାକୁ ମିଳିଛି।

About The Author: The Sakala