ଚଳଚଞ୍ଚଳ ଖଣ୍ଡଗିରି ପାଦଦେଶ: ଏଥର ୫ଶହରୁ ଊର୍ଦ୍ଧ୍ବ ସାଧୁସନ୍ଥଙ୍କ ହେବ ସମାଗମ, ପାଳନ ହେବ କଳିଯୁଗର ୫୧୨୫ତମ ପୂର୍ତ୍ତି

ଭୁବନେଶ୍ୱର: ଚଳଚଞ୍ଚଳ ହୋଇଉଠିଲାଣି ଖଣ୍ଡଗିରି ପାଦଦେଶ। ଆସନ୍ତା ୧୬ ତାରିଖରୁ ଖଣ୍ଡଗିରି ପାଦଦେଶରେ ଆରମ୍ଭ ହେବ କୁମ୍ଭମେଳା। ଦୂରଦୂରାନ୍ତରୁ ସାଧୁସନ୍ଥଙ୍କ ଆଗମନ ହେଉଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଧୁସନ୍ଥ ବସିବା ସ୍ଥାନକୁ ସଫାସୁତୁରା କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ସାଧୁସନ୍ଥ ଆସିବାର ରହିଛି। ଉତ୍ତର ଭାରତରୁ ନାଗାନ୍ଦୀ, ବେଦାନ୍ତି, ରାମାନନ୍ଦୀ ଓ କୃଷ୍ଣାନ୍ଦୀ ଆଦି ସନ୍ଥମାନେ ଆସି ଯୋଗ ଦେବେ। ସେହିପରି ଓଡ଼ିଶା, […]

ଭୁବନେଶ୍ୱର: ଚଳଚଞ୍ଚଳ ହୋଇଉଠିଲାଣି ଖଣ୍ଡଗିରି ପାଦଦେଶ। ଆସନ୍ତା ୧୬ ତାରିଖରୁ ଖଣ୍ଡଗିରି ପାଦଦେଶରେ ଆରମ୍ଭ ହେବ କୁମ୍ଭମେଳା। ଦୂରଦୂରାନ୍ତରୁ ସାଧୁସନ୍ଥଙ୍କ ଆଗମନ ହେଉଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଧୁସନ୍ଥ ବସିବା ସ୍ଥାନକୁ ସଫାସୁତୁରା କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ସାଧୁସନ୍ଥ ଆସିବାର ରହିଛି। ଉତ୍ତର ଭାରତରୁ ନାଗାନ୍ଦୀ, ବେଦାନ୍ତି, ରାମାନନ୍ଦୀ ଓ କୃଷ୍ଣାନ୍ଦୀ ଆଦି ସନ୍ଥମାନେ ଆସି ଯୋଗ ଦେବେ। ସେହିପରି ଓଡ଼ିଶା, ହରିଦ୍ୱାର, ଗୁଜରାଟ ଏବଂ ଝାନ୍‌‌ସୀରୁ ପ୍ରାୟ ୮୦ରୁ ଊର୍ଦ୍ଧ୍ବ ନାଗା ବାବାଙ୍କ ସମେତ ଦିଲ୍ଲୀ, ଉତ୍ତରାଖଣ୍ଡ, ବ୍ରହ୍ମପୁର ଆଦି ସ୍ଥାନରୁ ବାବାମାନେ ଯୋଗଦେବେ। ତେବେ ଆସନ୍ତା ୧୬ତାରିଖ ମାଘ ସପ୍ତମୀ ଏବଂ ଚନ୍ଦ୍ରଭାଗା ବୁଡ଼। ଏହିଦିନ ଠାରୁ ଖଣ୍ଡଗିରି ମାଘ ସପ୍ତମୀ କୁମ୍ଭ ମେଳା ଆରମ୍ଭ ହୋଇଥାଏ। ମାଘ ସପ୍ତମୀରେ ଠାକୁର ଶ୍ରୀଶ୍ରୀ ଅନନ୍ତ କେଶରୀ ଦେବଙ୍କୁ ଜାଗମରା ନାଗା ମଠରୁ ଶୋଭା ଯାତ୍ରାରେ ଉଦୟଗିରି ମୁଣ୍ଡିଆରେ ଥିବା ରାଣୀହଂସପୁରକୁ ନିଆଯିବ। ସେଠାରେ ଠାକୁରଙ୍କ ମାଘସ୍ନାନ ପରେ ସେହି ରାତିରେ ପୁଣି ଠାକୁରଙ୍କୁ ନାଗା ମଠକୁ ଫେରାଇ ଅଣାଯିବ। ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୁଜାଙ୍କ ନିକଟରେ ଅଖଣ୍ଡ ଦୀପ ଲାଗିବା ସହ ଅନନ୍ତ ଗୁମ୍ଫା ସମ୍ମୁଖରେ ଯଜ୍ଞ ଆରମ୍ଭ ହେବ। ମାଘ ପୂର୍ଣ୍ଣିମାରେ ଯଜ୍ଞରେ ପୂର୍ଣ୍ଣାହୁତି ସହ ମେଳା ସମାପ୍ତ ହେବ। ନବରାତ୍ର କୁମ୍ଭମେଳା ପାଇଁ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମଚରିତ ମାନସ, ନବାହ୍ନ ପାରାୟଣ, ପ୍ରବଚନ, ସାଧୁ ସମ୍ମେଳନ ଓ ବିଶ୍ୱଶାନ୍ତି ସାମୂହିକ ପ୍ରାର୍ଥନା ଅନୁଷ୍ଠିତ ହେବ। ତେବେ ଏଥର ବୈଦିକ ରୀତିରେ କଳିଯୁଗର ୫୧୨୫ ତମ ପୂର୍ତ୍ତି ପାଳନ କରାଯିବ ବୋଲି ବାବା ପଞ୍ଚଦେବ କହିଛନ୍ତି।

ମେଳାର ମାହାତ୍ମ୍ୟ
ପ୍ରତିବର୍ଷ ମାଘ ସପ୍ତମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ଧରି ଏହି ମେଳା ଆୟୋଜିତ ହୋଇଥାଏ। ଏକଦା ଶମ୍ଭାସୁର ନାମକ ଜଣେ ବହୁ ପ୍ରତାପୀ ଅସୁର କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ। ଉପଚାର ନିମନ୍ତେ ଅନନ୍ୟୋପାୟ ହୋଇ ଶମ୍ଭାସୁର ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିଥିଲେ। ସୂର୍ଯ୍ୟଦେବଙ୍କ ଠାରୁ ଆଦେଶ ପାଇ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଚାଲି ଚାଲି ଆସି ଖଣ୍ଡଗିରିରେ ପହଞ୍ଚିଲେ। ସେଠାରେ ‘ଖଣ୍ଡଖିରି’ ସେବନ କରି ଜପତପ କରିବା ପରେ ସେ ରୋଗମୁକ୍ତ ହୋଇଥିଲେ। ଏହାକୁ ବିଶ୍ୱାସ କରି ମାଘ ମାସରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଗିରି-ଉଦୟଗିରିରେ ଆସି ଜପତପ କରିଥାନ୍ତି। ଏହାଦ୍ୱାରା ଆତ୍ମାକୁ ଶାନ୍ତି ଏବଂ ସମସ୍ତ ରୋଗରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି। କୁମ୍ଭମେଳା ନାମରେ ନାମିତ ଏହି ୯ଦିନ ବ୍ୟାପୀ ମେଳାକୁ ସ୍ଥାନୀୟ ଲୋକେ ‘ଅନନ୍ତ କେଶରୀଙ୍କ ଯାତ୍ରା’ ବୋଲି ମଧ୍ୟ କହିଥାନ୍ତି। ସ୍ଥାନୀୟ ଲୋକେ ଠାକୁର ଅନନ୍ତ କେଶରୀ ଦେବ ସେହି ମନ୍ଦିରରେ ରହୁଥିଲେ ବୋଲି ବିଶ୍ୱାସ କରନ୍ତି।

ପ୍ରତିବର୍ଷ ମାଘ ସପ୍ତମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଖଣ୍ଡଗିରିଠାରେ ଠାକୁର ଅନନ୍ତ କେଶରୀଙ୍କ ରଥଯାତ୍ରା ହୋଇଥାଏ। ରଥଯାତ୍ରା ସମୟରେ ଠାକୁର ଅନନ୍ତ କେଶରୀ ଦେବ ଜାଗମରା ଗ୍ରାମରେ ଥିବା ମାଉସୀଘର(ବର୍ତ୍ତମାନର ନାଗା ମଠ)କୁ ୯ ଦିନ ଲାଗି ଯାତ୍ରା କରିଥାନ୍ତି। ମେଳା ସରିବା ପରେ ଠାକୁରଙ୍କୁ ପୁଣି ଜାଗମରା ଗ୍ରାମକୁ ଅଣାଯାଇଥାଏ। ଏହି ସମୟରେ ପାଳିକରି ଗ୍ରାମବାସୀମାନେ ଠାକୁରଙ୍କୁ ଜଗିଥାନ୍ତି। ସମୟକ୍ରମେ ଏହି ପରମ୍ପରା ବଦଳିଯାଇଛି। କେବଳ ମାଘ ସପ୍ତମୀ ଗୋଟିଏ ଦିନ ପାଇଁ ଠାକୁର ଅନନ୍ତ କେଶରୀଙ୍କୁ ଖଣ୍ଡଗିରି ପରିବର୍ତ୍ତେ ଉଦୟଗିରିର ରାଣୀହଂସପୁରକୁ ବାଜା, ବାଣ, ରୋଷଣି ମଧ୍ୟରେ ନିଆଯାଉଛି। ମେଳା ଆରମ୍ଭ ହେବାପରେ ଠାକୁରଙ୍କୁ ପୁଣି ନାଗା ମଠକୁ ଫେରାଇ ଅଣାଯାଉଛି।

About The Author: The Sakala