କେନ୍ଦୁଝରରେ ହଜାର ହଜାର ଆଦିବାସୀଙ୍କ ଗର୍ଜନ: ନିଜ ସମ୍ପ୍ରଦାୟର ସମ୍ମାନ ଓ ଅଧିକାରର ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର: କେନ୍ଦୁଝରରେ ହଜାର ହଜାର ଆଦିବାସୀଙ୍କ ଗର୍ଜନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ଆନନ୍ଦପୁର ବସନ୍ତପୁରାର ଘଟଣାକୁ ନେଇ ତେଜିଲା ବିବାଦ । ସୁଦାମ ମାରାଣ୍ଡିଙ୍କ ଡାକରେ କେନ୍ଦୁଝରରେ ଏକାଠି ହେଲେ ହଜାର ହଜାର ଆଦିବାସୀ। ନିଜ ସମ୍ପ୍ରଦାୟର ସମ୍ମାନ ଓ ଅଧିକାରର ସୁରକ୍ଷା ଦାବିରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଛି ବିକ୍ଷୋଭ। ଗତ ମାସ ୨୩ ତାରିଖରେ ଆନନ୍ଦପୁର ବସନ୍ତପୁରା ତହସିଲ ସାହିରେ ଘଟିଥିବା ଘଟଣାକୁ ନେଇ ଏବେ ଜିଲ୍ଲାରେ ରାଜନୈତିକ ଓ ସାମାଜିକ ଉତ୍ତେଜନା ଦେଖାଦେଇଛି। କେନ୍ଦୁଝରରେ ୨୦ ହଜାର ଆଦିବାସୀଙ୍କ ମହାସମାବେଶ ହେବା ସହିତ ଗିରଫ ଦାବିରେ ଅଡିବସୀଛନ୍ତି ଲୋକେ । ହଜାର ହଜାର ଆଦିବାସୀ ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରିଛନ୍ତି ବିକ୍ଷୋଭ।ବିଜେଡି ନେତା ଆଦିବାସୀ ନେତା ସୁଦାମ ମାରାଣ୍ଡିଙ୍କ ଆହ୍ୱାନରେ ଧରଣୀଧର ମେଡିକାଲ କଲେଜ ପଡ଼ିଆରୁ ଏକ ବିଶାଳ ଶୋଭା ଯାତ୍ରାରେ ନିଜର ପାରମ୍ପାରିକ ଅସ୍ତଶସ୍ତ୍ର ଧରି ଆଗକୁ ବଢିଥିଲେ । ବସନ୍ତପୁରା ଘଟଣାକୁ ନେଇ ଆଦିବାସୀ ସମାଜରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଗତ ମାସ ୨୩ ତାରିଖରେ ଆନନ୍ଦପୁର ବସନ୍ତପୁରା ତହସିଲ ସାହିରେ ଗୋହତ୍ୟା ଅଭିଯୋଗକୁ କେନ୍ଦ୍ର କରି ଗ୍ରାମବାସୀ ଓ ଭିଏଚପି କର୍ମୀଙ୍କ ମଧ୍ୟରେ ବିବାଦ ଓ ଉତ୍ତେଜନା ଦେଖା ଦେଇଥିଲା। ଏହି ଘଟଣାରେ ଥାନାରେ ଅଭିଯୋଗ ପରେ ପୋଲିସ ପାଞ୍ଚ ଜଣ ବିଶ୍ୱ ହିନ୍ଦୁ ପରିଷଦ (ବିଏଚପି) କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଘଟଣା ଏବେ ଆଇନଶୃଙ୍ଖଳା ପ୍ରସଙ୍ଗରୁ ଆଗକୁ ବଢ଼ି ଆଦିବାସୀ ସମ୍ପ୍ରଦାୟର ସମ୍ମାନ ଓ ପୂଜାସ୍ଥଳୀର ସୁରକ୍ଷା ପ୍ରସଙ୍ଗରେ ପରିଣତ ହୋଇଛି। ଆଦିବାସୀଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ଜାହିରା ସ୍ଥଳରେ ଦୁର୍ବ୍ୟବହାର କରାଯିବା ସହ ପୂଜାସ୍ଥଳୀକୁ ଭଙ୍ଗାଯାଇଛି। ଏହାକୁ ନେଇ ନ୍ୟାୟ ଓ ଉଚିତ୍ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଏକାଠି ହୋଇଛନ୍ତି ହଜାର ହଜାର ଆଦିବାସୀ। ଏହି ଘଟଣାକୁ ନେଇ ଏବେ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ଆଦିବାସୀଙ୍କ ଅଧିକାର ଓ ସମ୍ମାନକୁ ନେଇ ଉଠୁଛି ପ୍ରଶ୍ନ। ଆଦିବାସୀଙ୍କ ଦୁଃଖ ଓ ଦାବିକୁ କିଏ ଉଠାଇବ, କିଏ ଦେବ ନ୍ୟାୟ? ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ। 

About The Author: Madhusudan Das