କେନ୍ଦୁଝର: କେନ୍ଦୁଝର ସହରର ସବୁଠାରୁ ବ୍ୟସ୍ତ ବହୁଳ ଏବଂ ପୁରାତନ ମାର୍କେଟ ଭାବେ ପରିଗଣିତ ରାହସ ଡେଲି ମାର୍କେଟରେ ସୋମବାର ସକାଳୁ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨୫ ରୁ ୩୦ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। କୌଣସି ଏକ ଦୋକାନରୁ ସଟସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଳ୍ପ ଜାଗାରେ ଅନେକ ଦୋକାନ ଖୁନ୍ଦାଖୁନ୍ଦି ହୋଇ ରହିଥିବାରୁ ନିଆଁ ସଙ୍ଗେ ସଙ୍ଗେ ବ୍ୟାପି ଯାଇଥିଲା । ଦେଖୁ ଦେଖୁ ଅଳ୍ପ ସମୟ ମଧ୍ୟରେ ୨୫ ରୁ ୩୦ଟି ଦୋକାନରେ ନିଆଁ ଲାଗିଯାଇଥିଲା ।
ସ୍ଥାନୀୟ ବ୍ୟବସାୟୀ, ଦୋକାନୀ , ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବିଭାଗର ଆନେକ ଗାଡି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିବାକୁ ଅକ୍ଲାନ୍ତ ଉଦ୍ୟମ ପରେ ଯଦିବା ନିଆଁ କିଛି ପରିମାଣରେ ଆୟତ୍ତ ହୋଇଛି । ତେବେ ଖବର ଲେଖା ହେବା ପର୍ଯ୍ଯନ୍ତ ନିଆଁ ସମ୍ପୁର୍ଣ୍ଣ ଆୟତ୍ତ ହୋଇ ନାହିଁ।ନିଆଁ ଆୟତ୍ତ ହୋଇ ନ ଥିବାରୁ ପ୍ରକୃତ କ୍ଷୟକ୍ଷତି ଆକଳନ ହୋଇ ପାରିନାହିଁ। ତେବେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ ହୋଇ ଯାଇଛି।