କେନ୍ଦୁଝର : ସାରା ରାଜ୍ୟରେ ରବିବାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଛି। କେନ୍ଦୁଝରରେ ମଧ୍ୟ କଡ଼ା ସୁରକ୍ଷା ବଳୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଚଳିତ ବର୍ଷ ଡ଼ି ଆର ଡ଼ି ଏ ସମ୍ମିଳନୀ କକ୍ଷ ବଦଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଦରବାର ହଲରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେଡିରୁ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକର ୩୧ ନମ୍ବର ଯୋନରୁ ବିଜୟୀ ହୋଇଥିବା ସାଗରୀକା ସାହୁ ନାମାଙ୍କନ ଦାଖଲ କରିଥିବାବେଳେ ବିଜେପିରୁ ୩ ନମ୍ବର ଯୋନ ସଦସ୍ୟା ଅସୀମା ମିଶ୍ର ନାମାଙ୍କନ ଭରିଥିଲେ। ଜିଲ୍ଲାର ୩୭ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୩୬ ଟିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେଣୁ ୩୬ ଜଣ ନବ ନିର୍ବାଚିତ ସଦସ୍ୟ ନିର୍ବାଚନରେ ଭାଗ ନେଇଥିଲେ।
ସେଥିମଧ୍ୟରୁ, ୩୩ ଟି ଭୋଟ ବିଜେଡ଼ି ସପକ୍ଷରେ ଯାଇଥିବା ବେଳେ ୩ଟି ଭୋଟ ବିଜେପି ପ୍ରାର୍ଥୀ ପାଇଥିଲେ। ଏହି ନିର୍ବାଚନରେ ବିଜେଡ଼ିର ୩୧ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟା ସାଗରୀକା ସାହୁ କେନ୍ଦୁଝର ଜିଲ୍ଲାପରିଷଦ ର ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ସରିବା ପରେ ନବ ନିର୍ବାଚିତ ଜିଲ୍ଲାପରିଷଦ ଅଧଃକ୍ଷା ସାଗରୀକା ସାହୁ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଶ୍ରେୟ ଦେଇଥିବାବେଳେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କର ନିତୀ ଆଦର୍ଶକୁ ପାଥେୟକରି ତଳ ସ୍ଥରର ଲୋକଙ୍କ ପାଇଁ କାମ କରିବେ ବୋଲି କହିଥିଲେ।