ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ହାଟଡ଼ିହୀ/ଆନନ୍ଦପୁର/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅସିଆ ଗ୍ରାମ ନିକଟରେ ପୁଲିସ୍ ଏନକାଉଣ୍ଟର କରି ଜଣେ କୁଖ୍ୟାତ ଅପରାଧୀକୁ କାବୁ କରିଛି । ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୨୭ତାରିଖ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଗୁଳି ଫୁଟାଇ ଅଳଙ୍କାର ଲୁଟ୍ ହୋଇଥିଲା । ସେ ସଂକ୍ରାନ୍ତରେ ସୋସୋ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ୍ ପୂର୍ବରୁ ୨ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ପ୍ରଧାନ ଫେରାର ଥିଲା । 

କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକରଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଏସଡିପିଓ କମଳ ପଣ୍ଡା ଏକ ଗୁପ୍ତ ନୀଳ ନକ୍ସା ପ୍ରସ୍ତୁତ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ୍ କରିଥିଲେ । ତେବେ, ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ ଘଟଣାରେ ବ୍ୟବହାର ବନ୍ଧୁକଟିକୁ ଅର୍ଜୁନ ଅସିଆ ଗ୍ରାମରେ ଲୁଚାଇ ରଖିଥିବା ନେଇ କହିବା ପରେ ପୁଲିସ୍ ଅର୍ଜୁନକୁ ନେଇ ବନ୍ଧୁକକୁ ଜବତ୍ କରିବାକୁ ଯାଇଥିଲା । ପୁଲିସର କୋହଳ ମନଭାବର ସୁଯୋଗ ନେଇ ଅପରାଧୀ ଅର୍ଜୁନ ପୁଲିସ୍ ଉପରକୁ ଗୁଳି ଚାଳନା କରି ଫେରାର ହେବାକୁ ବସିଥିଲା ବେଳେ ପାଲଟା ଜବବାରେ ପୁଲିସ୍ ଅର୍ଜୁନକୁ ଏନକାଉଣ୍ଟର କରିଥିଲା ଏବଂ ପୁଲିସର ଗୁଳି ଅର୍ଜୁନର ଡ଼ାହାଣ ଗୋଡ଼ରେ ବାଜିଥିଲା । ଘଟଣାସ୍ଥଳରେ ଅର୍ଜୁନ ଆହତ ହୋଇପଡ଼ିବାରୁ ପୁଲିସ୍ ଅପରାଧୀ ଅର୍ଜୁନକୁ କାବୁ କରିବାରେ ସଫଳ ହୋଇଥିଲା । ଆହତ ଅବସ୍ଥାରେ ଅପରାଧୀ ଅର୍ଜୁନକୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରି ଆଶୁ ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ପ୍ରଧାନ ଯାଜପୁର ଜିଲ୍ଲା ଯଖପୁରା ଥାନା ଦଶମାଣିଆ ଗ୍ରାମର ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ଅର୍ଜୁନ ଜଣେ ପେସାଦାର ଅପରାଧୀ ହୋଇଥିବା ବେଳେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଆଦି ଅଞ୍ଚଳର ବିଭିନ୍ନ ଥାନାରେ ଅର୍ଜୁନଙ୍କ ନାଁରେ ୪୪୦ରୁ ଉର୍ଦ୍ଧ୍ୱ ଅପରାଧୀକ ମାମଲା ରହିଥିବା ଜଣାପଡ଼ିଛି । ସକାଳ ୧୧ଟା ସୁଦ୍ଧା ଆନନ୍ଦପୁର ଉପଖଣ୍ଡ, ନନ୍ଦିପଦା ଏବଂ ସୋସୋ ପୁଲିସ ସହିତ ସାଇଣ୍ଟିଫିକ୍ ଟିମ୍ ଅସିଆ ଠାରେ ପହଞ୍ଚି ତଦନ୍ତ ଜାରି ରଖିଛି ।

About The Author: Madhusudan Das