ଟଙ୍କା ପାଇଁ ବ୍ୟାଙ୍କରେ କଙ୍କାଳ ରଖିବା ଘଟଣା: ଜିତୁ ମୁଣ୍ଡାଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଘଟଗାଁ: ମୃତ ଭଉଣୀର ଜମା ଟଙ୍କା ପାଇବା ପାଇଁ କଙ୍କାଳକୁ ମଶାଣିରୁ ଖୋଳି ଆଣି ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜିତୁ ମୁଣ୍ଡାଙ୍କୁ ଭେଟିଛି । ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ନେତୃତ୍ଵରେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ପୂର୍ବତନ ଆଦିବାସୀ ଉନ୍ନୟନ ଅଧ୍ୟକ୍ଷ ରାମରାୟ ମୁନ୍ଦିୟାଙ୍କ ସହ ଅନ୍ୟମାନେ ପହଞ୍ଚି ଜିତୁଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ଘଟଣାରେ ପ୍ରଶାସନର ବଧିର ବ୍ୟବସ୍ଥାକୁ ଦାୟୀ କରିଛି ବିଜେଡି। ବିଜେଡି ଅଭିଯୋଗ ଆଣିଛି ଯେ, ଘଟଣା ଘଟିବାର ଗୋଟିଏ ଦିନ ପରେ ଟଙ୍କା ମିଳିବା ସହ ମୃତ୍ୟୁ ପ୍ରମାଣପତ୍ର ଓ ଲିଗାଲ ହେୟାର ବାହାରିଲା। ହେଲେ ଆଗରୁ କାହିଁକି ବାହାରିଲାନି ବୋଲି ବିଜେଡି ଅଭିଯୋଗ ଆଣିଛି। ତହସିଲ କତ୍ତୃପକ୍ଷ ଓ ପ୍ରଶାସନିକ ବ୍ୟବସ୍ଥାକୁ ଦାୟୀ କରିଛି ବିଜେଡି । ଏଥିସହ ବିଧାୟକ ବଦ୍ରି ନରାୟଣ ପାତ୍ର ଘଟଣାର ଜୁଡିସିଆଲ ତଦନ୍ତ ଦାବି କରିଛନ୍ତି। ବ୍ୟାଙ୍କରୁ ପୁଲିସ ପୁଣି ଜିତୁଙ୍କୁ ଶବକୁ କାନ୍ଧେଇ କାନ୍ଧେଇ ଚଲାଇ ଚଲାଇ ଆଣିବା ନେଇ ମଧ୍ୟ ବଦ୍ରି ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାସହ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଜିତୁ ମୁଣ୍ଡାଙ୍କୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । 

About The Author: Madhusudan Das