କେନ୍ଦୁଝର: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ କେନ୍ଦୁଝର ଜିଲ୍ଲାର ବଡ଼ବିଲଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବଡ଼ବିଲ ଅଞ୍ଚଳର ୮୪ ଜଣ ମେଧାବୀ ଛାତ୍ରୀଙ୍କୁ ‘ବେଟି ପଢ଼ାଓ ସ୍କଲାରସିପ୍’ ପ୍ରଦାନ କରାଯାଇଛି। ପ୍ରତିଭାବାନ ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କ ଶିକ୍ଷାଗତ ଆକାଂକ୍ଷା ପୂରଣ କରିବା ସହ ଆର୍ଥିକ ପ୍ରତିବନ୍ଧକ ବିନା ଉଚ୍ଚଶିକ୍ଷା ଜାରି ରଖିବାକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଶିକ୍ଷା ମାଧ୍ୟମରେ ଗୋଷ୍ଠୀ ବିକାଶ ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆର ନିରନ୍ତର ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି।
ସ୍କଲାରସିପ୍ ପ୍ରାପ୍ତକର୍ତ୍ତାଙ୍କ ମଧ୍ୟରେ ନବମ ଶ୍ରେଣୀ ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ଶିକ୍ଷା, ସ୍ନାତକ ଡିଗ୍ରୀ, ଆଇଟିଆଇ, ଡିପ୍ଲୋମା, ଇଞ୍ଜିନିୟରିଂ, ମେଡିକାଲ୍ ଏବଂ ଅନ୍ୟାନ୍ୟ ବୃତ୍ତିଗତ ପାଠ୍ୟକ୍ରମ ତଥା ରାଜ୍ୟ ଏବଂ ଜାତୀୟ ସ୍ତରର ଆଥଲେଟ୍ ସାମିଲ ଅଛନ୍ତି।
ସ୍କଲାରସିପ୍ କାର୍ଯ୍ୟକ୍ରମର ପରିଚାଳନା ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆ ପ୍ରୋଟିନ୍ ଇ-ଗଭ୍ ଟେକ୍ନୋଲୋଜିସ୍ ସହ ସହଭାଗିତା କରିଛି। ଏହାର ଅଗ୍ରଣୀ କର୍ପୋରେଟ୍ ସ୍କଲାରସିପ୍ ପରିଚାଳନା ପ୍ଲାଟଫର୍ମ 'ବିଦ୍ୟାସାରଥି' ମାଧ୍ୟମରେ ଆବେଦନ, ବୈଧତା, ଆବଣ୍ଟନ ଏବଂ ଅର୍ଥରାଶି ବଣ୍ଟନ ସମେତ ସମଗ୍ର ପ୍ରକ୍ରିୟା ପରିଚାଳନା କରାଯାଉଛି। ଯୋଗ୍ୟତା ଓ ଆବଶ୍ୟକତାକୁ ଆଧାର କରି ଏକ ସୁବ୍ୟବସ୍ଥିତ ଚୟନ ପ୍ରକ୍ରିୟା ମାଧ୍ୟମରେ ଛାତ୍ରୀମାନଙ୍କୁ ଚୟନ କରାଯାଉଛି।
ଏହି ସମାରୋହରେ ବଡ଼ବିଲର ଅତିରିକ୍ତ ତହସିଲଦାର ଓଆରଏସ୍ ସୁଶ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ଏହି ସ୍କଲାରସିପ୍ ପ୍ରଦାନ କରିଥିଲେ । ଏହି ଅବସରରେ ବଡ଼ବିଲ ପୌରପାଳିକା ୱାର୍ଡ ନଂ-୨ ର କାଉନସିଲର ସୁଶ୍ରୀ ବବି ରାଣୀ ମହାନ୍ତ, ଏଏମ୍/ଏନ୍ଏସ୍ ଇଣ୍ଡିଆର ବରିଷ୍ଠ ଅଧିକାରୀ ଯଥା ମାଇନିଂ ଅପରେସନ୍ସ ବିଭାଗ ମୁଖ୍ୟ ଶ୍ରୀ ଅମିତ ଦୁବେ, ଠାକୁରାଣୀ ଖଣିର ପ୍ରବନ୍ଧକ ଶ୍ରୀ ଇନ୍ଦ୍ରକାନ୍ତ ସାହା ଏବଂ ଓଡ଼ିଶାରେ ମାଇନିଂ ନିରାପତ୍ତା ବିଭାଗ ମୁଖ୍ୟ ଶ୍ରୀ ଉଦୟ ବର୍ମାଙ୍କ ସହିତ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଏବଂ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ମାନବ ସମ୍ବଳ ଓ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ତଥା ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଆଶୁତୋଷ ତେଲାଙ୍ଗ କହିଛନ୍ତି, “ବେଟି ପଢ଼ାଓ ସ୍କଲାରସିପ୍ ମାଧ୍ୟମରେ ଯୁବତୀମାନଙ୍କ ଶିକ୍ଷାଗତ ଆକାଂକ୍ଷାକୁ ପୂରଣ କରିବା ଆମ ପାଇଁ ଗର୍ବର ବିଷୟ। ଏହି ମହତ୍ଵପୂର୍ଣ୍ଣ ପଦକ୍ଷେପ ସାମାଜିକ ପ୍ରଗତି ଏବଂ ଲିଙ୍ଗଗତ ସମାନତା ପ୍ରତି ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ପ୍ରତ୍ୟେକ ସ୍କଲାରସିପ୍ ଜଣେ ଯୋଗ୍ୟ ଛାତ୍ରୀଙ୍କୁ ବଡ଼ ସ୍ୱପ୍ନ ଦେଖିବା, ଅଧିକ ଶିଖିବା ଏବଂ ଏକ ସଫଳ ଭବିଷ୍ୟତ ଗଢ଼ିବାର ସୁଯୋଗ ପ୍ରଦାନ କରୁଛି। ଶିକ୍ଷାଗତ ଉତ୍କର୍ଷକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତିଭାର ବିକାଶ ମାଧ୍ୟମରେ ଆମେ ଯୁବତୀମାନଙ୍କୁ ଆହ୍ୱାନର ସମ୍ମୁଖୀନ ହେବା, ଲକ୍ଷ୍ୟ ହାସଲ କରିବା ଏବଂ ସମାଜରେ ଆତ୍ମବିଶ୍ୱାସର ସହ ଯୋଗଦାନ କରିବାକୁ ସକ୍ଷମ କରୁଛୁ। ସେମାନଙ୍କ ସଫଳତା ଶିକ୍ଷାର ପରିବର୍ତ୍ତନକାରୀ ଶକ୍ତିର ଏକ ଜ୍ଵଳନ୍ତ ଉଦାହରଣ।”
ବେଟି ପଢ଼ାଓ ସ୍କଲାରସିପ୍ ପଦକ୍ଷେପ ଅଧୀନରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ଛାତ୍ରୀମାନଙ୍କୁ ସ୍କଲାରସିପ୍ ପ୍ରଦାନ କରୁଛି। ମାର୍ଚ୍ଚ ୨୦୨୨ରେ ଆରମ୍ଭ ହେବା ପରଠାରୁ ଏହି ପଦକ୍ଷେପ ସାରା ଦେଶରେ ପ୍ରାୟ ୪,୦୦୦ ଆର୍ଥିକ ଅନଗ୍ରସର ଛାତ୍ରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି।