କେନ୍ଦ୍ରାପଡ଼ା : ଏକ ୫୪ ସେକେଣ୍ଡ ଅଡିଓ ଭାଇରାଲ ହେବା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ କେନ୍ଦ୍ରାପଡ଼ା ଅବକାରୀ ଅଧିକ୍ଷକଙ୍କୁ ନିଲମ୍ୱିତ କରାଯାଇଛି । ଓଡ଼ିଶା ଅବକାରୀ କମିଶନର ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭାଇରାଲ ଅଡିଓ ଅନୁଯାୟୀ, କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀପ୍ରସାଦ ମିଶ୍ର ଓ ଜଣେ ବିଦେଶୀ ମଦ ଦୋକାନ ମାଲିକଙ୍କ କଥୋପକଥନରେ ” ପ୍ରବଳ ପ୍ରେସର ପଡୁଛି ମୋତେ ଏବେ କଲ ଆସିଥିଲା । କଲେକ୍ଟରଙ୍କ ପାଖକୁ ଫୋନ ହୋଇଛି । ମୋତେ ଫୋନ କରିଛନ୍ତି ସେଇଟା ଅଟକିଯିବ ବୁଝୁନି କଥା ସେ……. ସିଆଡେ କମିଶନରଙ୍କୁ ବି ଫୋନ ହେଇଛି ।
କମିଶନର ଅଫିସରୁ ଏବେ ଫୋନ ଆସିଥିଲା କହିଲେ କାହିଁକି କଣ ହେଇଛି ଅସୁବିଧା ଉପରୁ କଣ ପ୍ରେସର ହେଲାଣି ଆପଣ କେମିତି କଣ ଏଇଟା ପଠାଇଦେଲେ । ଆମର ସେଇଟା ସରିଯାଇଛି ଆପଣ ଖର୍ଚ୍ଚ ପାଣି ଦେଇ ସେଇଟାକୁ ସାରିଦିଅନ୍ତୁ ସେମାନେ କମିଶନର ଅଫିସରେ ଯାଇ ଲଢାଲଢ଼ି ହୁଅନ୍ତୁ । ରାଜନୀତି ପଶିଲାଣି ବହୁତ ପ୍ରେସର ହେଲାଣି ଜଲଦି ସେକାମ ସାରନ୍ତୁ” ବୋଲି ଏହି ଅଡିଓ ଭାଇରାଲ ହେବା ପରେ ଅଭିଯୋଗକାରୀ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଅବକାରୀ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଅଭିଯୋଗରେ ଏପ୍ରିଲ ୧୦ ତାରିଖରେ ଅବକାରୀ ଡେପୁଟି କମିଶନର କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଥିବା ବେଳେ ଗତ ଶୁକ୍ରବାର ରାତିରେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କୁ କମିଶନର ନିଲମ୍ବନ କରିଛନ୍ତି ।
ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ଆଜି ନିଜ ପ୍ରତିକ୍ରିୟାରେ ଏହାର ପ୍ରାଥମିକ ତଦନ୍ତ ଶେଷ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି । ଅନ୍ୟପଟେ ନୂତନ ନିଯୁକ୍ତି ପର୍ଯ୍ୟନ୍ତ କେନ୍ଦ୍ରାପଡା ତହସିଲଦାର ଅବକାରୀ ଅଧିକ୍ଷକଙ୍କ ଦାୟିତ୍ୱରେ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏନେଇ ପତ୍ର ସଂଖ୍ୟା – ୨୫୬୭ ତା ୧୯.୦୪.୨୦୨୪ରିଖରେ ନିର୍ଦେଶନାମା ପ୍ରକାଶ ପାଇଛି । ଏଥିରେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ରଙ୍କୁ ନିଲମ୍ବିତ କରିବା ସହ ନିଲମ୍ବନ ସମୟରେ ତାଙ୍କ ମୁଖ୍ୟାଳୟ ସମ୍ବଲପୁରସ୍ଥିତ ଉତ୍ତର ଡିଭିଜନର ଅବକାରୀ ଉପ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସ୍ଥିର କରାଯାଇଛି ।