ଡେରାବିଶ(ପ୍ରମୋଦ କୁମାର ପ୍ରଧାନ): ଏହି ଗୋ ଫାର୍ମଟିକୁ ଆରମ୍ଭ କରିବାକୁ ପ୍ରିୟଦର୍ଶନଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା । ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଋଣ ଆଣି ଆରମ୍ଭ କରିଥିବା ଏହି ଫାର୍ମ ଆଜି ୧୦ରୁ ଅଧିକ ପରିବାରର ପେଟକୁ ଦାନା ଯୋଗାଉଛି । ଏହି ଫାର୍ମ ପାଇଁ ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ଦୁଇ ଭାଇଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିଛନ୍ତି ପ୍ରିୟଦର୍ଶନ ।
ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦୋଳ ଗ୍ରାମର ପ୍ରିୟଦର୍ଶନ ସ୍ୱାଇଁ ଜଣେ ଉଚ୍ଚଶିକ୍ଷିତ ବୈଷୟିକ ଡିଗ୍ରୀଧାରୀ । ତେବେ ସେ ଚାକିରି ପଛରେ ନ ଧାଇଁ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ତାଙ୍କ ବାଡ଼ିରେ ପ୍ରଥମେ ଏକ ଘର କରି ୩୦ଟି ଗାଈ ଆଣି ପାଳିଥିଲେ । ଏହି ଗାଈମାନଙ୍କ ରକ୍ଷଣାବେକ୍ଷଣ ଓ ଲାଳନ ପାଳନ ନିମନ୍ତେ ତାଙ୍କୁ ତାଙ୍କ ଦୁଇ ସାନଭାଇ ବିଶ୍ୱଦର୍ଶନ ଓ ପଦାରବିନ୍ଦ ମଧ୍ୟ ସାହାଯ୍ୟ କରନ୍ତି । ତେବେ ପ୍ରିୟଦର୍ଶନ କୁହନ୍ତି ତାଙ୍କ ଏହି ଗୋ ଫାର୍ମରୁ ୨୦ଟି ଗାଈଙ୍କ ନିକଟରୁ ପ୍ରତିଦିନି ୨୦୦ଲିଟରରୁ ଉର୍ଦ୍ଧ୍ବ କ୍ଷୀର ସଂଗ୍ରହ କରିଥାନ୍ତି । ସେ ତାଙ୍କ ଘରେ ଏକ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଖୋଲି ନିଜ ଫାର୍ମରୁ ଉତ୍ପାଦିତ ଦୁଗ୍ଧ ଓ ସ୍ଥାନୀୟ ଅଞ୍ଚଳର ଗୋଚାଷୀମାନଙ୍କର ଉତ୍ପାଦିତ ଦୁଗ୍ଧକୁ ସେ ବିକ୍ରୟ କରିବାରେ ସାହାଯ୍ୟ କରିଥାନ୍ତି ।
କରୋନା ସମୟରେ ତାଙ୍କ ବ୍ୟବସାୟ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା ହେଲେ ପରବର୍ତ୍ତୀ ସମୟରେ କରୋନା ହିଁ ତାଙ୍କୁ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନର ଏକ ନୂଆ ରାହା ଦେଖାଇଥିଲା । ନଷ୍ଟ ହେଉଥିବା କ୍ଷୀରରୁ ଛେନା ଓ ଘିଅ ତିଆରି କରି ନିକଟସ୍ଥ ବଜାରରେ ବିକ୍ରୟ କରିଥିଲେ । ଏଥିସହିତ ସେ ଦୁଗ୍ଧରୁ ଦହି ଓ ପନିର ମଧ୍ୟ ତିଆରି କରି ବିକ୍ରି କରିଥିଲେ । ବର୍ତ୍ତମାନ ସମୟରେ ପ୍ରିୟଦର୍ଶନ ଫାର୍ମ ଅଞ୍ଚଳର ପର୍ବପର୍ବାଣୀ, ଭୋଜିଭାତ ପାଇଁ ଆବଶ୍ୟକୀୟ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଯଥା ଦହି, ଛେନା, ପନିର ଓ ଘିଅ ଇତ୍ୟାଦି ଯୋଗାଇବାରେ ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଭାବେ ଅଞ୍ଚଳରେ ପ୍ରସିଦ୍ଧିଲାଭ କରିଛି । ତେବେ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ କେନ୍ଦ୍ରାପଡ଼ା ଜିଲ୍ଲା ବାହାରେ ମଧ୍ୟ ତାଙ୍କ ଦୁଗ୍ଧଜାତ ଦ୍ରବ୍ୟର ଆଦର ରହିଛି । ତାଙ୍କ ଗୋ ଫାର୍ମ ପାଇଁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଆଉ ୧୦ରୁ ଅଧିକ ପରିବାରଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି । ତାଙ୍କ ମତ ହେଉଛି ଯୁବକମାନେ ଚାକିରି ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ ନିଜେ ଗୋଚାଷ କରି ସ୍ୱାବଲମ୍ୱୀ ହେବା ଉଚିତ ।