ଶ୍ୱଶୁର ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀର ପରକୀୟା ପ୍ରୀତି ପାଇଁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଆଳି ଥାନା ଅନ୍ତର୍ଗତ ମଣିକପାଟଣା ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ତାଙ୍କ ଶ୍ୱଶୁର ଘରୁ ଉଦ୍ଧାର ହୋଇଛି। ମୃତକଙ୍କ ପରିବାର ପକ୍ଷରୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଦାବି କରାଯାଇଥିବା ବେଳେ ସ୍ୱାମୀଙ୍କ ପରକୀୟା ପ୍ରୀତି ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମିଞ୍ଜୟୁନି ଗ୍ରାମର ଧନଞ୍ଜୟ ନାୟକଙ୍କ ଝିଅ ମଧୁସ୍ମିତା ନାୟକ।

ସୂଚନା ଅନୁଯାୟୀ, ୨୦୧୬ ମସିହାରେ ମଧୁସ୍ମିତା ମଣିକପାଟଣା ଗ୍ରାମର ବିଜୟ କୁମାର ବିଶ୍ୱାଳଙ୍କ ପୁଅ ସତ୍ୟବ୍ରତ ବିଶ୍ୱାଳଙ୍କୁ ବିବାହ କରିଥିଲେ। ତେବେ ବିବାହର କିଛି ଦିନ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ସତ୍ୟବ୍ରତ ହାଇଦ୍ରାବାଦରେ ରହୁଥିବା ବେଳେ ସେଠାରେ ତାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ପରକୀୟା ପ୍ରୀତି ରହିଥିବା ମଧୁସ୍ମିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ମଧୁସ୍ମିତାଙ୍କୁ ଶ୍ୱଶୁର ଘର ଲୋକେ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। 

ଗୁରୁବାର ସକାଳେ ସତ୍ୟବ୍ରତ ମଧୁସ୍ମିତାଙ୍କ ପରିବାରକୁ ଫୋନ କରି ସେ ଅସୁସ୍ଥ ଥିବା ଜଣାଇଥିଲେ। କିନ୍ତୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଥିଲା। ମଧୁସ୍ମିତାଙ୍କ ପିତା ଧନଞ୍ଜୟ ନାୟକଙ୍କ କହିବା ଅନୁଯାୟୀ, ଘଟଣାସ୍ଥଳରେ ଶ୍ୱଶୁର ଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଥିଲେ ମଧ୍ୟ ପୋଲିସକୁ ଜଣାଇବା ପୂର୍ବରୁ କାହିଁକି ରସି କଟାଗଲା, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସେ ଆଳି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। 

ଘଟଣାସ୍ଥଳରେ ଆଳି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ମୃତକଙ୍କ ସ୍ୱାମୀ ସତ୍ୟବ୍ରତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଅନ୍ୟପଟେ ମଧୁସ୍ମିତାଙ୍କ ଶ୍ୱଶୁର ଦାବି କରିଛନ୍ତି ଯେ ସେ ମାନସିକ ଅସୁସ୍ଥ ଥିଲେ ଏବଂ ଆତ୍ମହତ୍ୟା କରିଛନ୍ତି। ପୋଲିସ ଏହି ମାମଲାରେ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

About The Author: Madhusudan Das