ରାଜକନିକା : ସରକାର ଗ୍ରାମାଞ୍ଚଳର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରୀ ଯୋଜନାର ସଫଳ ରୂପାୟନ ହେଉନଥିବାରୁ ହଜାର ହଜାର ଲୋକ ନାନା ଅସୁବିଧା ଭୋଗୁଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଳକ ଅଞ୍ଚଳରେ । ରାଜକନିକାରେ ଅବସ୍ଥିତ ଗ୍ରାମ୍ୟନିର୍ମାଣ ଉପଖଣ୍ଡର ଆୟତନ-ଗଜରାଜପୁର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ସାରା ବଡ଼ ବଡ଼ ଖାଲ ଖମାରେ ଭର୍ତ୍ତି ହୋଇଥିବା କାରଣରୁ ବିଗତ ୩ ମାସ ହେବ ପୂର୍ବକନିକାକୁ ସଡକ ପଥର ଯୋଗାଯୋଗର ମାଧ୍ୟମ ଏହି ଏକମାତ୍ର ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି।
ମାତ୍ର ୭ କିଲୋମିଟର ଆୟତନରୁ ଗଜରାଜପୁର ଛକକୁ ଆସିବାକୁ ହେଲେ ୩୦ ରୁ ୪୦ ମିନିଟ ଲାଗୁଛି, ତାହା ପୁଣି ଜୀବନରୁ ପାଣି ଛଡାଇ। କାରଣ ରାସ୍ତା ସାରା ବଡ଼ ବଡ଼ ଖାଲ, ଆଉ ବର୍ଷା କାରଣରୁ ସେ ସବୁ ପାଣିରେ ଫୁଲ ରହିଛି। ଯାହା ରାସ୍ତାରେ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତାର ତେନ୍ତୁଲିକୋଲି,କାଞ୍ଜିଖାଇ, ଖୁଲାରୀ, ମଳ୍ଲିପୁର, ଗଜରାଜପୁର ଆଦି ସ୍ଥାନରେ ବଡ଼ ବଡ଼ ଖାଲ ରହିଛି। କେବଳ ସେତିକି ନୁହେଁ ରାସ୍ତା ସାରା ବଡ଼ ବଡ଼ ଖାଲ କାରଣରୁ ସେହି ରାସ୍ତା ଦେଇ ଯାଇଥିବା ଦୁଇ-ତିନୋଟି ବସ୍ ମଧ୍ୟ ଚଳାଚଳ ବନ୍ଦ କରିଦେଇଛନ୍ତି। ଯାହା ଫଳରେ ସାଧାରଣ ଲୋକ ଗମନାଗମନରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
୨୦୨୪ ନିର୍ବାଚନ ପୂର୍ବରୁ ଏହି ରାସ୍ତାର ମରାମତି କାମ ଆରମ୍ଭ ହୋଇଥିଲା। ପ୍ରଥମେ କିଛି ସ୍ଥାନରେ କାମ ହେବା ପରେ ନିର୍ବାଚନ ପାଇଁ କାମ ବନ୍ଦ ରହିଥିଲା। ଲୋକ ଭାବିଥିଲେ ନିର୍ବାଚନ ପରେ କାମ ହେବ। ହେଲେ ନିର୍ବାଚନ ସରିବା ୩ ମାସ ହୋଇ ସାରିଥିଲେ ମଧ୍ୟ ରାସ୍ତା ସେମିତି ବିପର୍ଯ୍ୟସ୍ତ ହୋଇ ପଡିରହିଛି। ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶିଘ୍ର ରାସ୍ତା କାମ ଶେଷ କରିବା ପାଇଁ ଲୋକମାନେ ଦାବି କରିଛନ୍ତି।