କେନ୍ଦ୍ରାପଡ଼ା: କାଳବୈଶାଖୀ ରଚିଲା ତାଣ୍ଡବ। ବଜ୍ରପାତରେ କେନ୍ଦ୍ରାପଡ଼ା ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗରଦପୁର ବ୍ଲକ ଅଞ୍ଚଳରେ ବଜ୍ରପାତ ଘଟି ତଳକୁସୁମା ପଞ୍ଚାୟତର ବଙ୍ଗାରୀ , ପୁଣ୍ଡିଲୋ ଓ ବିରିଜଙ୍ଗୀ ଗ୍ରାମରୁ ତିନିଜଣଙ୍କର ମୁତ୍ଯୁ ଘଟିଥିବା ବେଳେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତରେ ଜଣେ ଓ ଆଳି ଥାନା ଅନ୍ତର୍ଗତ ସାଳିଅଞ୍ଚ ଗ୍ରାମରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଥାନା ତଳକୁସୁମା ପଞ୍ଚାୟତ ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ (୬୨) ଘରର ଛାତ ଉପରେ ଶୁଖାଯାଇଥିବା ମୁଗ ବସ୍ତା କରୁଥିବା ସମୟରେ ବଜ୍ରପାତ ଯୋଗୁ ମୃତ୍ୟୁ ଘଟିଥିଲା ସେହିଭଳି ବଙ୍ଗାରୀ ଗ୍ରାମରେ ମଧ୍ୟ ସମାନ ଘଟଣା ଘଟିଛି । ବର୍ତ୍ତମାନ ମୁଗ ଫସଲ ଅମଳ ସମୟ ଥିବାରୁ ମୁଗ ଖଳାରେ ମୁଗ ଘୋଡାଉଥିବା ସମୟରେ ଅଧିର ଜେନାଙ୍କ ସାନ ପୁଅ ଆଶୁତୋଷ ଜେନା(୧୮)ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଶୁତୋଷ ଯୁକ୍ତ ୩ ପାଠ ପଢୁଥିଲେ। ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି । ଅନ୍ୟ ଏକ ଘଟଣାରେ ବିରିଜଙ୍ଗା ଅଞ୍ଚଳର ଘଟିଛି। ବିରିଜଙ୍ଗା ଗ୍ରାମର ଶିବପ୍ରସାଦ ସାହୁ (୬୦) ବିଲରୁ ମୁଗ ଉପାଡୁଥିବା ସମୟରେ ବଜ୍ରପାତ ତାଙ୍କର ମୁତ୍ଯୁ ଘଟିଛି।
ସେହିପରି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ବିରସ୍ୱତୀ ଗ୍ରାମର ନାରାୟଣ ମଳିକଙ୍କ ପତ୍ନୀ ଅମ୍ବିକା ମଳିକ(୫୨) ତାଙ୍କ ବିଲକୁ ମୁଗ ଉପାଡିବାକୁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ସମୟରେ ବଜ୍ରପାତ ହେବାରୁ ଅମ୍ବିକା ବିଲରେ ଟଳି ପଡିଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ, ଆଳି ଥାନା ଅନ୍ତର୍ଗତ ସାଳିଅଞ୍ଚ ଗ୍ରାମର ବିଷ୍ଣୁଚରଣ ବେହେରାଙ୍କ ସାନ ପୁର ଅନିଲ ବେହେରା ଆଜି ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶୀକାର ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଯୁବକଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।