ଫୁଲବାଣୀ: ଫୁଲବାଣୀ ଜଗନ୍ନାଥ ମନ୍ଦିର କମିଟିକୁ ଜଣେ ଭିକାରୁଣୀ ବୃଦ୍ଧା ୧ ଲକ୍ଷ ଟଙ୍କା ଦାନ କରିଥିବା ଆଲୋଚନାର ବିଷୟ ହୋଇଛି। ତାଙ୍କ ପାଇଁ ଏବେ ଚାରିଆଡୁ ପ୍ରଂଶାସର ସୁଅ ଛୁଟିଛି । ଫୁଲବାଣୀ ସହରର ଜଣେ ବୃଦ୍ଧା ଭିକାରୁଣୀ ତୁଳା ବେହେରା (୭୦) ଆଜି ଜଗନ୍ନାଥ ମନ୍ଦିର କମିଟିକୁ ପୁରୁଣା ମନ୍ଦିର ପୁନରୁଦ୍ଧାର କରିବା ପାଇଁ ୧ ଲକ୍ଷ ଟଙ୍କା ଦାନ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ୪୦ ବର୍ଷ ହେବ ଭିକାରୁଣି ଜଣକ ଫୁଲବାଣି ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ସାଇ ମନ୍ଦିରରେ ଭିକ ମାଗି ୧ ଲକ୍ଷ ଟଙ୍କା ସଂଚିତ କରି ରଖିଥିଲେ ।
ପ୍ରଥମେ ଦିବ୍ୟାଙ୍ଗ ସ୍ୱାମି ପ୍ରଫୁଲ ବେହେରାଙ୍କ ସହ ବୁଲି ବୁଲି ଭିକ୍ଷା ବୃତ୍ତି କରୁଥିବା ବେଳେ ସ୍ୱାମୀଙ୍କ ଦେହାନ୍ତ ପରେ ସେ ନିଜେ ମନ୍ଦିର ଗୁଡିକରେ ଭିକ୍ଷା ମାଗୁଥିଲେ । ପରେ ବୟସ ହୋଇଯିବାରୁ ଉକିଅ ମହାକୁଡ ନାମକ ଜଣେ ବେସାହାରା ମହିଳାଙ୍କୁ ୧୦ ବର୍ଷ ତଳେ ପାଳିତ ଝିଅ କରି ରଖିଥିଲେ ତୁଳା ବେହେରା । ପରିଣତ ବୟସରେ ଭିକ ମାଗି ରଖିଥିବା ଟଙ୍କା ପ୍ରଭୁ ଜଗନ୍ନାଥଙ୍କ ସେବାରେ ଲାଗୁ ବୋଲି ତୁଳା ବେହେରା ଓ ପାଳିତ ଝିଅ ଚିନ୍ତା କରି ଆଜି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ୧ଲକ୍ଷ ଟଙ୍କା ଦାନ କରିଥିଲେ । ମନ୍ଦିର ପରିଚାଳନା କମିଟିର ସଭାପତି ସୁନାଶିର ମହାନ୍ତିଙ୍କ ଉପସ୍ତିତିରେ ବୃଦ୍ଧା ଭିକାରୁଣି ମହିଳା ଜଣକ ୧ ଲକ୍ଷ ଟଙ୍କା ଦାନ କରିଥିଲେ । ପୁରୁଣା ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର କରିବା ସହ ସେଠାରେ ସାଧୁ ସନ୍ଥମାନଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯିବ ବୋଲି ମନ୍ଦିର ସଭାପତି କହିଛନ୍ତି । ମନ୍ଦିର ସଂପାଦକ ହରିଶ୍ଚନ୍ଦ୍ର ମହାରଣା, ରଜତ ମହାନ୍ତି, ବିଜୟ ମହାନ୍ତି, ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।