ବି.ଆର୍‌‌.ଷଡ଼ଙ୍ଗୀ ହେବେ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ: ସୁପ୍ରିମକୋର୍ଟ କଲେଜିୟମ ଆହ୍ଲାବାଦ, ରାଜସ୍ଥାନ, ଗୌହାଟୀ, ପଞ୍ଜାବ-ହରିଆଣା ଓ ଝାଡ଼ଖଣ୍ଡ ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ନିଯୁକ୍ତି ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ବି.ଆର୍‌‌. ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବ ଗୁରୁବାର ସନ୍ଧ୍ୟାରେ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ ଅରୁଣ ଭନ୍‌‌ସାଲିଙ୍କୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନିମନ୍ତେ ସୁପାରିସ କରାଯାଇଛି। ସେହିପରି […]

କଟକ: ସୁପ୍ରିମକୋର୍ଟ କଲେଜିୟମ ଆହ୍ଲାବାଦ, ରାଜସ୍ଥାନ, ଗୌହାଟୀ, ପଞ୍ଜାବ-ହରିଆଣା ଓ ଝାଡ଼ଖଣ୍ଡ ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ନିଯୁକ୍ତି ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ବି.ଆର୍‌‌. ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବ ଗୁରୁବାର ସନ୍ଧ୍ୟାରେ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ ଅରୁଣ ଭନ୍‌‌ସାଲିଙ୍କୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନିମନ୍ତେ ସୁପାରିସ କରାଯାଇଛି। ସେହିପରି ଜଷ୍ଟିସ ମନୀନ୍ଦ୍ର ମୋହନ ଶ୍ରୀବାସ୍ତବ ଓ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କୁ ଯଥାକ୍ରମେ ରାଜସ୍ଥାନ ଓ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ପ୍ରଦାନ ନିମନ୍ତେ ସୁପାରିସ ହୋଇଛି। ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଶିଲ ନାଗୁଙ୍କୁ ପଞ୍ଜାବ-ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ନିମନ୍ତେ କଲେଜିୟମ ସୁପାରିସ କରିଛନ୍ତି।

ସମସ୍ତ ୫ ଜଣ ବିଚାରପତିଙ୍କ ଦୀର୍ଘ ଅନୁଭବକୁ ଆଧାର କରି କଲେଜିୟମ ଅନୁରୂପ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଜଷ୍ଟିସ ଅରୁଣ ଭନ୍‌‌ସାଲି ୧୨୦୦ରୁ ଊର୍ଦ୍ଧ୍ବ ମାମଲାର ବିଚାର କରି ରାୟ ପ୍ରଦାନ କରିଥିବା ବେଳେ ବିଜୟ ବିଷ୍ଣୋୟୀ ୧୧ ବର୍ଷ ମଧ୍ୟରେ ୬୫୨ଟି ମାମଲାର ବିଚାର ଶେଷ କରିଛନ୍ତି। ଜଷ୍ଟିସ ମନୀନ୍ଦ୍ର ମୋହନ ଶ୍ରୀବାସ୍ତବ ୧୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୫୦୫, ବି.ଆର୍‌‌.ଷଡ଼ଙ୍ଗୀ ହାଇକୋର୍ଟର ବିଚାରପତି ଭାବରେ ୧୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୧୦୫୬ଟି ମାମଲାର ଫଇସଲା କରିଛନ୍ତି। ସେହିପରି ବିଚାରପତି ଜଷ୍ଟିସ ଶିଲ ନାଗୁ ମଧ୍ୟପ୍ରଦେଶ ହାଇକୋର୍ଟରେ ୧୨ ବର୍ଷ ଧରି କାର୍ଯ୍ୟ କରିଛନ୍ତି ଓ ୪୯୯ଟି ମାମଲାରେ ରାୟ ପ୍ରଦାନ କରିଛନ୍ତି।

ଜଷ୍ଟିସ୍‌ ବି.ଆର୍‌‌.ଷଡ଼ଙ୍ଗୀ ୧୯୬୨ ଜୁଲାଇ ୨୦ରେ ନୟାଗଡ଼ ଜିଲ୍ଲା ଓଡଗାଁ ପନ୍ତିଖରିଶାସନ ଗ୍ରାମରେ ଜନ୍ମିତ ଜଷ୍ଟିସ୍ ଷଡ଼ଙ୍ଗୀ ଆଇନ ଶିକ୍ଷା ଶେଷ କରି ୧୯୮୫ରେ ଓକିଲାତି ପେସାରେ ଯୋଗ ଦେଇଥିଲେ। ହାଇକୋର୍ଟରେ ସେ ଦୀର୍ଘ ୨୭ବର୍ଷ ଓକିଲାତି କରିଥିଲେ। ୨୦୧୩ ଜୁନ୨୦ରେ ଜଷ୍ଟିସ୍‌ ଷଡ଼ଙ୍ଗୀଙ୍କୁ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ ଓ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନୂତନ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କାର୍ଯ୍ୟଭାର ଗ୍ରହଣ କରିବେ।

ପ୍ରକାଶଥାଉକି, ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ପଦ ପାଇଁ ପୂର୍ବରୁ ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଥିଲା।

About The Author: The Sakala