ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଘାରିଛି ଗିରଫ ଭୟ । ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ୨୦୨୨ ଓ ୨୦୨୩ରେ ଦୁଇଟି ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁରରେ ଦୁଇଟି ମାମଲା ହୋଇଥିଲା । ଏହି ଦୁଇଟି ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।
୨୦୨୨ ଫେବୃଆରୀରେ ଜୟନାୟରାଣ ମିଶ୍ର ତତ୍କାଳିନ ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ୨୦୨୨ ଫେବୃଆରୀ ୧୫ ତାରିଖରେ ପୂର୍ବତନ ତହସିଲଦାର କ୍ଷେତ୍ରାଜପୁର ଥାନାରେ ଜୟନାରାୟଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ସମ୍ବଲପୁର ଦୁର୍ଗାପାଲ୍ଲୀ ଠାରେ ଏକ ବେଆଇନ ନିର୍ମାଣର ଉଚ୍ଛେଦ ସମୟରେ କାର୍ଯ୍ୟରତ ତହସିଲଦାରଙ୍କୁ ଜୟନାରାୟଣ ଓ ତାଙ୍କ ଗୁଣ୍ଡାମାନେ ବିରୋଧ କରିବା ସହ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତତ୍କାଳିନ ତହସିଲଦାର ଏକ ମାମଲା ରୁଜୁ କରିଥିଲେ।
ସେହିଭଳି ୨୦୨୩ରେ ଧନୁପାଲ୍ଲୀ ଥାନାର ପୂର୍ବତନ ଆଇଆଇସି ଅନୀତା ପ୍ରଧାନଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଥିଲେ ଜୟନାରାୟଣ । ଏନେଇ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଟାଉନ ଥାନାରେ ଗତ ଫେବୃଆରୀ ମାମଲା ରୁଜୁ ହୋଇଥିଲା। ଏହି ଦୁଇଟି ମାମଲା ଏବେ ବି କୋର୍ଟରେ ବିଚାରଧିନ ଥିବା ବେଳେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣ ଗିରଫ ହୋଇଯିବାର ଭୟ ରହିଛି । ଏହିଦୃଷ୍ଟିରୁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି ।