ପ୍ରଶ୍ନବାଚୀରେ ପୁଷ୍ଟି ଯୋଜନା: ଛୁଆଙ୍କୁ ଗମରା ଛତୁଆ, ମଧ୍ୟାହ୍ନଭୋଜନରେ ଭାତ-ଲୁଣ

ଭୁବନେଶ୍ୱର/ ଯାଜପୁର : ପୁଷ୍ଟିହୀନତା ଦୂର କରାଯିବା ନିମନ୍ତେ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ପୂର୍ବ ସରକାର ବ୍ୟବସ୍ଥା କରିଥିଲେ। ପୁଷ୍ଟିକର ଛତୁଆ ସହ ମାଣ୍ଡିଆ ଲଡ଼ୁ ଆଦି ଯୋଗାଣ ବ୍ୟବସ୍ଥା ବି କରାଯାଇଥିଲା। ମିଶନ ଶକ୍ତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହାକୁ ଯୋଗାଣ କରାଯାଉଥିଲା। ମାତ୍ର ସରକାର ବଦଳିବା ପରେ ଅନେକ ସ୍ଥାନରେ ମିଶନଶକ୍ତି ଓ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ଛତୁଆ ଯୋଗାଣରୁ ବାଦ୍‌ ଦିଆଯାଇଛି। ଜିଲାସ୍ତରରେ କାର୍ଯ୍ୟ […]

ଭୁବନେଶ୍ୱର/ ଯାଜପୁର : ପୁଷ୍ଟିହୀନତା ଦୂର କରାଯିବା ନିମନ୍ତେ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ପୂର୍ବ ସରକାର ବ୍ୟବସ୍ଥା କରିଥିଲେ। ପୁଷ୍ଟିକର ଛତୁଆ ସହ ମାଣ୍ଡିଆ ଲଡ଼ୁ ଆଦି ଯୋଗାଣ ବ୍ୟବସ୍ଥା ବି କରାଯାଇଥିଲା। ମିଶନ ଶକ୍ତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହାକୁ ଯୋଗାଣ କରାଯାଉଥିଲା। ମାତ୍ର ସରକାର ବଦଳିବା ପରେ ଅନେକ ସ୍ଥାନରେ ମିଶନଶକ୍ତି ଓ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ଛତୁଆ ଯୋଗାଣରୁ ବାଦ୍‌ ଦିଆଯାଇଛି। ଜିଲାସ୍ତରରେ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀମାନେ ବିଭିନ୍ନ ସୂତ୍ରରୁ ଛତୁଆ ସଂଗ୍ରହ କରିବାର ଦାୟିତ୍ୱ ଅନ୍ୟମାନଙ୍କୁ ପ୍ରଦାନ କରିଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ଯୋଗାଣ କରାଯାଉଥିବା ଛତୁଆର ମାନକୁ ନେଇ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ଅସନ୍ତୋଷ। ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ମାଳମାଳ ଅଭିଯୋଗ ଆସିବାରେ ଲାଗିଛି । ପିଲାମାନଙ୍କୁ ଫିମ୍ପିମରା ଓ ଗମରା ଛତୁଆ ଦିଆଯାଉଥିବା ଯୋଗୁଁ ଏହାକୁ ସେମାନେ ଖାଉ ନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି। କିଛି ଦିନ ତଳେ ଛତୁଆରମାନକୁ ନେଇ ସାରା ରାଜ୍ୟରେ ହୋ ହଲ୍ଲା ହେବା ପରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ନିଜେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ଯାଞ୍ଚ ବେଳେ ଛତୁଆର ମାନ ଯାଞ୍ଚ କଲେ। ଦିଆଯାଉଥିବା ଛତୁଆର ମାନ ଜାଣିବା ପରେ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଲେ। ଛତୁଆକୁ ନେଇ ବିଧାନସଭା ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଚର୍ଚ୍ଚା ହେଲା। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଛତୁଆ ଯୋଗାଉଥିବା କଣ୍ଟ୍ରାକ୍ଟର ଓ ଏସ୍‌ଏଚ୍‌ଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଧମକ ଦେଲେ। ଯେଉଁମାନେ ନିମ୍ନମାନର ଛତୁଆ ଯୋଗାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଉପମୁଖ୍ୟମନ୍ତ୍ରୀ ସେତେବେଳେ କହିଲେ। ମାତ୍ର ପରବର୍ତ୍ତୀ ସମୟରେ କ’ଣ ପଦକ୍ଷେପ ନିଆଗଲା ତାହା ଆଉ ଜଣା ପଡ଼ିଲା ନାହିଁ । ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀଙ୍କ ଧମକ ସତ୍ତେ୍ୱ ଛତୁଆର ମାନ ସୁଧୁରିବା ପରିବର୍ତ୍ତେ ଅଧିକ ବିଗିଡ଼ିଥିବା ଅଭିଯୋଗ ହୋଇଛି। ଶିଶୁ ଓ ମହିଳାଙ୍କ ପରିବର୍ତ୍ତେ ଛତୁଆ ଗାଈଗୋରୁଙ୍କ ଖାଦ୍ୟ ପାଇଁ ବ୍ୟବହାର ହେଉଛି ।

ସମନ୍ୱୟ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମା ଏବଂ ଛୋଟ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ନାମରେ ଛତୁଆ ଯୋଗାଇ ଦିଆଯାଉଛି। ହେଲେ ଏହି ପୁଷ୍ଟିକର ଖାଦ୍ୟ ଖାଇବା ତ ଦୂରର କଥା, ପାଟିରେ ପୂରାଇବା ମଧ୍ୟ କଷ୍ଟ ଲାଗୁଛି। ପୂର୍ବରୁ ଭଦ୍ରକ ତିହିଡ଼ି ବ୍ଳକ୍‌ କାର୍ଯ୍ୟାଳୟରେ ନିମ୍ନମାନର ଛତୁଆକୁ ନେଇ ବିରୋଧାଭାଷ ଦେଖିବାକୁ ମିଳିଥିଲା। ସେମିତି ପରବର୍ତ୍ତୀ ସମୟରେ ଚାନ୍ଦବାଲି ବ୍ଲକ୍‌ ତେନ୍ତୁଳିଆ, ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ର ଦାମୋଦରପୁର ଓ ଚିତ୍ରକୁଳ ସାହି ସହ ଖୋର୍ଦ୍ଧା ଜିଲ୍ଲାର ବିିଭିନ୍ନ ଅଞ୍ଚଳରେ ଦିଆଯାଉଥିବା ଛତୁଆର ମାନକୁ ନେଇ ପ୍ରଶ୍ନ ଉଠିଛି ।

ଯାଜପୁର- ସରକାରୀ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଗୁଣାତ୍ମକ ଶିକ୍ଷା ଯୋଗାଇବା ଲକ୍ଷ୍ୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହି ଲକ୍ଷ୍ୟ ଧିରେ ଧିରେ ଭ୍ରଷ୍ଟ ହେବାରେ ଲାଗିଛି। ରାଜ୍ୟରେ ନୂତନ ସରକାର ଆସିବା ପରେ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୁଷ୍ଟିକର ଖାଦ୍ୟ ମିଳିବା ବଦଳରେ କେବଳ ଭାତ ଦିଆଯାଉଛି। ଛାତ୍ରଛାତ୍ରୀ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ଭାତ ସହିତ କେବଳ ଲୁଣ ଯୋଗାଇ ଦିଆଯାଉଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏହା କୌଣସି ପଛୁଆ ଅଞ୍ଚଳର ଘଟଣା ନୁହେଁ, ବରଂ ରାଜ୍ୟର ପ୍ରମୁଖ ଆଗୁଆ ଜିଲ୍ଲା ଯାଜପୁର ଅଞ୍ଚଳର ଘଟଣା। ତାହା ପୁଣି ଶିଳ୍ପ ଓ ଖଣି ସମୃଦ୍ଧ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଲକ୍‌ ଟୋଲକାନି ଝାଡେ଼ଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନରେ ଏଭଳି ଭାତ ସହିତ ଲୁଣ ଖାଇବାକୁ ଦିଆଯିବା ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ଦାନଗଦି ବ୍ଲକ୍‌ ଟୋଲକାନି ଅଞ୍ଚଳର ଝାଡେ଼ଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଗତ କିଛି ଦିନ ଧରି ମଧ୍ୟାହ୍ନ ଭୋଜନରେ କେବଳ ଭାତ ଖାଇବାକୁ ମିଳୁଛି। ପିଲାମାନେ ତରକାରି ମାଗିବାରୁ ଲୁଣ ଦିଆଯାଉଛି। ସେହିପରି ଗତ ୧୩ ଦିନ ହେବ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇବାକୁ ଦିଆଯାଉନାହିଁ। ଅନେକ ସମୟରେ ମଧ୍ୟାହ୍ନ ଭୋଜନରେ କେବଳ ବିସ୍କୁଟ ଖାଇବାକୁ ଦିଆଯାଉଥିବା ଛାତ୍ରଛାତ୍ରୀ କହିଛନ୍ତି। ଏଭଳି ମଧ୍ୟାହ୍ନ ଭୋଜନ ଅନିୟମିତା ପଛରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ଦେହୁରୀଙ୍କୁ ଅଭିଭାବକ ଦାୟୀ କରିଛନ୍ତି। ସେ ନିୟମିତ ବିଦ୍ୟାଳୟକୁ ଆସୁ ନ ଥିବାରୁ ଏଭଳି ସମସ୍ୟା ଦେଖିବାକୁ ମିଳୁଛି। ଆଜି ଛାତ୍ରଛାତ୍ରୀଙ୍କୁ ଏଭଳି କେବଳ ଭାତ ଓ ଲୁଣ ଦିଆଯାଉଥିବାରୁ ତାକୁ ଖାଇବାକୁ କେତେକ ଛାତ୍ରଛାତ୍ରୀ ଅରାଜି ହୋଇଥିଲେ। କେତେକ ଅଭିଭାବକ ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃର୍ପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ସିଧାସଳଖ ଚାଉଳ ଯୋଗାଣ ହେଉଥିବାବେଳେ ରାସନ ସାମଗ୍ରୀ କିଣିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କ୍ଷମତା ପ୍ରଦାନ କରାଯାଇଛି। କିନ୍ତୁ ଏହି ବିଦ୍ୟାଳୟ ପାଇଁ ଆସୁଥିବା ରାସନ ଦୋକାନରେ ଲକ୍ଷାଧିକ ଟଙ୍କା ବାକି ହୋଇଥିବା କାରଣରୁ ଦୋକାନୀ ଆଉ ରାସନ ଦେଉ ନ ଥିବାରୁ ଛାତ୍ରଛାତ୍ରୀ ତରକାରୀ ଖାଇବାରୁ ବଞ୍ଚିତ ହେଉଛନ୍ତି। ତେବେ ଏତେ ଟଙ୍କା ବାକି ପଡ଼ିବା ପଛରେ କାହାର ହାତ ଅଛି, ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଅଭିଭାବକ ଅଭିଯୋଗ କରିଥିଲେ। ପ୍ରକୃତରେ ସରକାରଙ୍କ ପକ୍ଷରୁ ରାସନ ସାମଗ୍ରୀ କିଣିବା ପାଇଁ ଟଙ୍କା ଆସିନାହିଁ ନାଁ ଆସିଥିବା ଟଙ୍କାକୁ ହଡପ କରାଯାଇଛି, ସେ ସମ୍ପର୍କରେ ଅଧିକ ତଦନ୍ତ କରିବାକୁ ଅଭିଭାବକ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଦାନଗଦି ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ବଳରାମ ପତି ଓ ସିଆରସିସି କଣ୍ଠ ଦେଉରି ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ସେ ସମ୍ପର୍କରେ ତଦନ୍ତ କରାଯିବ ଓ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ କହିଛନ୍ତି।

About The Author: The Sakala