ଯାଜପୁର: ମା’ ବିରଜାଙ୍କ ବାର୍ଷିକ ଯାତ୍ରା ଓ ରଥଯାତ୍ରା କୋଭିଡ ନିୟମାବଳୀ ଆଧାରରେ ଅନୁଷ୍ଠିତ ହେବବୋଲି ସର୍ବସମ୍ମତ ନିଷ୍ପତି ଗ୍ରହଣ କରାଯାଇଛି। ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରୱର୍ତି ସିଂହ ରାଠୋର କହିଥିଲେ କି କରୋନାର ମାତ୍ରା କମିଥିଲେ ମଧ୍ୟ ସଂପୂର୍ଣ୍ଣ କମିନାହିଁ, ତେଣୁ ପୂର୍ବ ବର୍ଷ ଭଳି କଟକଣାର ସହ ମା’ଙ୍କ ବାର୍ଷିକ ଯାତ୍ରା ଓ ରଥଯାତ୍ରା ଅନୁଷ୍ଠିତ ହେବ। ବିଗତ ବର୍ଷ ଭଳି ସେବାୟତ, ପୁଲିସ କର୍ମଚାରୀମାନେ ରଥ ଟାଣିବେ। ସାଧାରଣ ଭକ୍ତ ବା ଲୋକଙ୍କୁ ଏଥିପାଇଁ ବାରଣ କରାଯାଇଛି। ୬ ଅକ୍ଟୋବରଠାରୁ ୧୪ ଅକ୍ଟୋବାର ପର୍ଯ୍ୟନ୍ତ ଅପରାହ୍ନ ୨ ଘଟିକାଠାରୁ ପରବର୍ତୀ ସକାଳ ୫ ଘଟିକା ପର୍ଯ୍ୟନ୍ତ ରଥଟଣା ଅଂଚଳରେ ୧୪୪ ଧାରା ଜାରି କରାଯିବ।
ମା’ଙ୍କ ପୂଜା ଓ ଅନ୍ୟାନ୍ୟ ନିତୀକାନ୍ତି ସଂପୃକ୍ତ ପୂଜକମାନଙ୍କ ଦ୍ୱାରା କୋଭିଡ ନିୟମ ଆଧାରରେ ପାଳନ କରାଯିବ। ଯେପରି କୌଣସି ସାଧାରଣ ଲୋକ ରଥଟଣା ମଧ୍ୟରେ ରଥ ପାଖକୁ ନଯାଏ ସେଥିପାଇଁ କର୍ଡନ ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଆରକ୍ଷୀ ବିଭାଗ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମା’ଙ୍କ ପାଦ ଦର୍ଶନକୁ ଚଳିତ ବର୍ଷ ପାଇଁ ବାରଣ କରାଯାଇଛି। ପ୍ରତ୍ୟେକ ଦିନ ସକାଳ ୫ଘଟିକା ଠାରୁ ଅପରାହ୍ନ ୨ଘଟିକା ମା’ଙ୍କ ପହଡ଼ ପର୍ଯ୍ୟନ୍ତ ସାଧାରଣ ଭକ୍ତ ସାମାଜିକ ଦୂରତା ରକ୍ଷାକରି ମା’ଙ୍କ ଦର୍ଶନ କରିପାରିବେ।
ଅପର ପକ୍ଷରେ ଗତଥର ଭଳି ଚଳିତ ଥର ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ମନ୍ଦିର ଚତୁପାଶ୍ୱର୍ରେ ସେମାନଙ୍କ ପାଇଁ ପ୍ରସ୍ତୁତ ମଂଚରୁ ମା’ଙ୍କ ରଥଯାତ୍ରାର ସିଧା ପ୍ରସାରଣ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଜନସାଧାରଣ ଏଥିରେ ସହଯୋଗକ କରିବାକୁ ସେ ଅନୁରୋଧ କରିଥିଲେ। ବୈଠକର ପ୍ରାରମ୍ଭରେ ଉପଜିଲ୍ଲାପାଳ ତଥା ବିରଜା ମନ୍ଦିରର ମ୍ୟାନେଜିଂଟ୍ରଷ୍ଟି ଡଃ ଶରତ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ସର୍ବସମ୍ମତ ନିଷ୍ପତିକୁ ନିଷ୍ଠାର ସହ ପାଳନ ପାଇଁ ଅନୁରୋଧ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ମିହିର ପ୍ରସାଦ ମହାନ୍ତି, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ କୁମାର ଉପାଧ୍ୟୟ, ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି, ଯାଜପୁର ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ର, ସେବାୟତ ସଂଘ ସଭାପତି ଦେବୀ ପ୍ରସାଦ ପାଣି, କାର୍ଯ୍ୟକାରୀ ସଭାପତି ସୁକାନ୍ତ ପାଣି. ଅନ୍ୟାନ୍ୟ କର୍ମକର୍ତା, ବିଭିନ୍ନ ବିଭାଗର ଅଧିକାରୀ ଏଥିରେ ଅଂଶଗ୍ରହଣ କରିଥିଲେ।