ଯାଜପୁର: ଯାଜପୁର ଜିଲ୍ଲାରେ ଥିବା ଅମୃତିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପିଲାମାନେ ଖୁବ୍ ଧୁମଧାମରେ ପାଳିଲେ ଜନ୍ମାଷ୍ଟମୀ । ସବୁଥର ପରି ଏଥର ମଧ୍ୟ ଅମୃତିଆ ସରସ୍ଵତୀ ବିଦ୍ୟାମନ୍ଦିର ପକ୍ଷରୁ ବହୁ ଆଡମ୍ବରରେ ଜନ୍ମାଷ୍ଟମୀ ପାଳନ କରାଯାଇଛି। ବିଦ୍ୟାଳୟ ପକ୍ଷରୁ ନିକଟସ୍ତ ବନ୍ଦାଳୋ ପଞ୍ଚାୟତରେ ଥିବା ପ୍ରସିଦ୍ଧ ଶନିମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଅମୃତିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସବୁ ପିଲା, ଗୁରୁଜୀ ଗୁରୁମା, ପ୍ରଧାନ ଆଚାର୍ଯ୍ୟା ପ୍ରମୁଖ ଆଦି ମନ୍ଦିର ପ୍ରାଙ୍ଗଣରେ ଏକାଠି ହେବା ପରେ ସଭିଙ୍କୁ ସ୍ଵାଗତ କରାଯାଇଥିଲା । ଏହା ପରେ ପ୍ରାଙ୍ଗଣରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ପୂଜାପାଠ କରାଯାଇଥିଲା । ପୂଜାର୍ଚ୍ଚନା ପରେ କୃଷ୍ଣଙ୍କ ଭଜନରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗାଁ ବୁଲିଥିଲେ କୁନି କୁନି ରାଧାକୃଷ୍ଣ । କିଏ କୃଷ୍ଣ ବେଶ ତ କିଏ ରାଧା ବେଶ ତ ପୁଣି ଆଉ କିଏ କଂସ । ଏପରି ଭିନ୍ନ ଭିନ୍ନ ବେଶରେ ସଜେଇ ହୋଇଥିବା କୁନି କୁନି ପିଲା ଯେବେ ଗାଁ ଦାଣ୍ଡରେ ଚାଲୁଥିଲେ, ଗାଁ ଲୋକେ ଘଡ଼ିଏ ଚାହିଁ ରହୁଥିଲେ । ଗାଁ ରାସ୍ତାରେ କୁନି କୁନି ପିଲା ଓ ଗୁରୁମାଙ୍କ ଭଜନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥାଏ । ଗାଁ ଦାଣ୍ଡରେ ରାଧାକୃଷ୍ଣଙ୍କୁ ଦେଖି ବିଭିନ୍ନ ସ୍ଥାନରେ ମାଆ ମାଉସୀ ମାନେ ବନ୍ଦାପନା ଓ ପୂଜାର୍ଚ୍ଚନା କରିଥିଲେ । ଆଉ ସବୁଠାରୁ ଆକର୍ଷଣୀୟ ହେଉଛି ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ । ବହୁ ଭଜନରେ ପିଲାଙ୍କ ନୃତ୍ୟ ସହ କୁନି ପିଲାମାନଙ୍କ କଂସ ବଦ୍ଧ ନାଟକ ସମସ୍ତଙ୍କ ମନ ମୋହିଥିଲା ।