ଭୁବନେଶ୍ୱର: ଯାଜପୁର ଜିଲ୍ଲା ବିଜୁ ଜନତା ଦଳର ବିଧାୟକଗଣ ତଥା ନେତୃବୃନ୍ଦ ମଙ୍ଗଳବାର ସକାଳେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ନବୀନଙ୍କ ସହ ଜିଲ୍ଲାର ରାଜନୈତିକ ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଛନ୍ତି। ନୂଆ ସରକାର ଦାୟିତ୍ୱ ନେବା ପରେ ଜିଲ୍ଲାରେ ବିକାଶ କାମରେ ସ୍ଥାଣୁତା ଦେଖା ଦେଇଥିବାରୁ ଶ୍ରୀ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି। ସମସ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।
ରାଜ୍ୟରେ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ବିଜେପି ସରକାର ସଙ୍କୁଚିତ କରି ଦେଇଥିବାରୁ ପରିସ୍ଥିତି କିପରି ଅଧିକ ଗମ୍ଭୀର ହୋଇଛି, ସେ ସମ୍ପର୍କରେ ନେତୃବୃନ୍ଦ ଶ୍ରୀ ପଟ୍ଟନାୟକଙ୍କୁ ଅବଗତ କରିଛନ୍ତି। ସେହିପରି, ବ୍ୟାପକ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟିଛି ଏବଂ ଜନସାଧାରଣ ବିଶେଷକରି, ମା’ମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି ବୋଲି ସେମାନେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ଜିଲ୍ଲାରେ ବିଜେଡିର ସାଂଗଠନିକ ସ୍ଥିତିକୁ କିପରି ଆହୁରି ମଜଭୁତ କରାଯାଇପାରିବ, ସେ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଜିଲ୍ଲାର ନେତାମାନଙ୍କ ସହ ମତବିନିମୟ କରିଥିଲେ। ଏହି ଅବସରରେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼େଇ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ କ୍ୟାପଟେନ୍ ଏସ୍.କେ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।