ଭୁବନେଶ୍ବର: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମୟ ପାଖେଇ ଆସୁଛି। ଆସନ୍ତା ୨୭ ତାରିଖ ଦିନ ପୁରୀରେ ରଥଯାତ୍ରାର ଆୟୋଜନ ହେବ। ଏହି ଅବସରରେ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟିଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି ଭେଟି ରଥଯାତ୍ରାରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ତାଙ୍କୁ ନିମନ୍ତ୍ରଣ କରାଯାଇଥିବା ନେଇ ରାଜ୍ୟପାଳ ଏହି ସୂଚନା ଦେଇଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇ ରାଜ୍ୟପାଳ କହିଛନ୍ତି, ଆଜି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢ଼ୀ ରାଜଭବନରେ ମୋ ସହିତ ସାକ୍ଷାତକରି ଆସନ୍ତା ପବିତ୍ର ରଥଯାତ୍ରା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ରଥଯାତ୍ରା ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟର ଏକ ଜ୍ୱଳନ୍ତ ଚିହ୍ନ। ଏହି ଅବସରରେ ଲକ୍ଷ-ଲକ୍ଷ ଭକ୍ତ ଏକତ୍ରିତ ହୋଇ ମହାପ୍ରଭୁଙ୍କ ଦିବ୍ୟ ଯାତ୍ରାକୁ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହ ସହ ପାଳନ କରନ୍ତି। ମୁଁ ଏହି ପବିତ୍ର ଅବସରରେ ଅଂଶଗ୍ରହଣ କରିବାକୁ ଅପେକ୍ଷା କରୁଛି।