ଭୁବନେଶ୍ୱର: ଗୋଟିଏ କ୍ଲିକ୍ରେ ମିଳିବ ସମସ୍ତ ଉଚ୍ଚତର ଶିକ୍ଷାନୁଷ୍ଠାର ତଥ୍ୟ। ନାକ୍ ମାନ୍ୟତା ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନର ସିଟ୍ ସଂଖ୍ୟା, ଶିକ୍ଷକ ଓ ଗବେଷଣା ସମ୍ପର୍କିତ ତଥ୍ୟ ଆଦି ଗୋଟିଏ ପୋର୍ଟାଲରେ ଉପଲବ୍ଧ ହେବ। ଉଚ୍ଚଶିକ୍ଷା ବିଭାଗରେ ଏଥିପାଇଁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ସମର୍ଥ ପୋର୍ଟାଲର କାର୍ଯ୍ୟକାରିତା ଦିଗରେ ଧ୍ୟାନ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି।
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ରାଜ୍ୟର ସମସ୍ତ ସ୍ୱୟଂଶାସିତ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ‘ସମର୍ଥ’ ପୋର୍ଟାଲ କାର୍ଯ୍ୟକ୍ଷମ କରାଯିବ। ଏନେଇ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ଶିକ୍ଷାନୁଷ୍ଠାନ ସ୍ତରରେ ଏହାର କାର୍ଯ୍ୟକାରୀତା ପାଇଁ ନୋଡାଲ ଅଫିସର ଓ ଆସୋସିଏଟ ନୋଡାଲ ଅଫିସର ନିଯୁକ୍ତ ହେବେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ। ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ସାମ୍ସ ପୋର୍ଟାଲ ଭଳି ସମର୍ଥ ପୋର୍ଟାଲ ମଧ୍ୟ କାର୍ଯ୍ୟ କରିବ। ନାମଲେଖା ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନର ତଥ୍ୟ, ବଳକା ସିଟ୍ ଆଦି କଲେଜ ଓ ବିଶ୍ୱବିଦ୍ୟାଳୟ ଅନୁଯାୟୀ ତଥ୍ୟ ମିଳିପାରିବ।
ସମର୍ଥ ପୋର୍ଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ବିଦେଶର ଆଗ୍ରହ ପ୍ରକାଶ କରୁଥିବା ଛାତ୍ରଛାତ୍ରୀ ମଧ୍ୟ ଶିକ୍ଷାନୁଷ୍ଠାନ ବାବଦରେ ସମସ୍ତ ତଥ୍ୟ ପାଇ ପାରିବେ। ତେବେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ସମର୍ଥ ପୋର୍ଟାଲ କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତାବ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି। ମାତ୍ର ସାମ୍ସ ପୋର୍ଟାଲ ଘରୋଇ ସଂସ୍ଥା ହୋଇଥିବା ବେଳେ ସମର୍ଥ ପୋର୍ଟାଲ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସରକାରୀ ସଂସ୍ଥା। ଏହା ଦ୍ୱାରା କଲେଜ୍ ଓ ବିଶ୍ୱବିଦ୍ୟାଳୟମାନଙ୍କର ସମସ୍ତ ତଥ୍ୟ ଗୋଟିଏ ପୋର୍ଟାଲରେ ଉପଲବ୍ଧ ହେବ। ରାଜ୍ୟରେ ଏହାକୁ କାର୍ଯ୍ୟକ୍ଷମ ଲାଗି ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷଙ୍କୁ ରାଜ୍ୟ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ସ୍ୱୟଂଶାସିତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ସମର୍ଥ ପୋର୍ଟାଲକୁ କାର୍ଯ୍ୟକାରୀ କରିବା ଲାଗି ଉପାଧ୍ୟକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି। ତେଣୁ ସମର୍ଥ ପୋର୍ଟାଲ ଗଠନ ନେଇ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ତ୍ୱରିତ ନୋଡାଲ ଅଧିକାରୀ ଓ ଆସୋସିଏଟ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଉଚ୍ଚଶିକ୍ଷା ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।