ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ! ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହେବା ନେଇ IMDର ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।  

ବାତ୍ୟାର ଗତିପଥ ଓ ସମ୍ଭାବ୍ୟ ସ୍ଥଳଭାଗ:
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ସିଷ୍ଟମ ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହା ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇବା ସହ ବର୍ଷା ହେବାର ଆଶଙ୍କା ରହିଛି। 

ପବନର ବେଗ ଏବଂ ସତର୍କ ସୂଚନା: 
ଏହି ସାମୁଦ୍ରିକ ସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବର ୩୧ରୁ ନଭେମ୍ବର ୩ ପର୍ଯ୍ୟନ୍ତ ପବନର ବେଗ ଏବଂ ସମୁଦ୍ରର ସ୍ଥିତି ନେଇ ସତର୍କ ସୂଚନା ଜାରି କରାଯାଇଛି। ଅକ୍ଟୋବର ୩୧ରେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କିଲୋମିଟର ରହିବା ସହ ପରବର୍ତ୍ତୀ ସମୟରେ ଏହା ୭୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ। ବିଶେଷ କରି ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳରେ ଏହାର ପ୍ରଭାବ ଅଧିକ ରହିବ। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

About The Author: Madhusudan Das