ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ପାଗରେ ହଠାତ୍ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ରାଜଧାନୀ ପାଇଁ 'ଅରେଞ୍ଜ ୱାର୍ଣ୍ଣିଂ' (Orange Warning) ଜାରି କରାଯାଇଛି। ଆଗାମୀ ୨ ଘଣ୍ଟା ମଧ୍ୟରେ ସହରର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ଏବଂ ପ୍ରବଳ ବେଗରେ ଝଡ଼ପବନ ବହିବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି।
ସୂଚନା ଅନୁସାରେ, ଆଗାମୀ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସହରରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ ଏବଂ ଝଟକା ପବନର ବେଗ ସର୍ବାଧିକ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏଥିସହ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଲାଗିରହିବାର ସମ୍ଭାବନା ରହିଛି। ଏହି ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ସାଧାରଣ ଲୋକଙ୍କ ପାଇଁ ସୁରକ୍ଷା ନିର୍ଦ୍ଦେଶାବଳୀ ଜାରି କରିଛି। ଲୋକମାନଙ୍କୁ ସରକାରୀ ପାଣିପାଗ ସୂଚନା ଉପରେ ନଜର ରଖିବାକୁ ଏବଂ ଜରୁରୀ କାମରେ ବାହାରକୁ ବାହାରିଲେ ଛତା ବା ରେନକୋଟ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଝଡ଼ବର୍ଷା ସମୟରେ ଅନାବଶ୍ୟକ ଯାତ୍ରା ନ କରିବାକୁ ଏବଂ ଜଳମଗ୍ନ ରାସ୍ତାରେ ଯାତାୟାତ ନ କରିବାକୁ ସତର୍କ କରାଯାଇଛି, କାରଣ ପାଣିର ଗଭୀରତା ଓ ପ୍ରବାହ ସହଜରେ ଆକଳନ କରିବା ସମ୍ଭବ ନୁହେଁ।
ବିଜୁଳି ଓ ଘଡ଼ଘଡ଼ି ମାରୁଥିବା ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ବିଦ୍ୟୁତ ଖୁଣ୍ଟ ନିକଟରେ ଆଶ୍ରୟ ନ ନେବାକୁ ପାଣିପାଗ ବିଭାଗ କହିଛି। ବିଦ୍ୟୁତ ଉପକରଣଗୁଡ଼ିକୁ ପାଣିଠାରୁ ଦୂରରେ ରଖିବା ଏବଂ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି। ଏହାସହ ଖସଡ଼ା ରାସ୍ତାରୁ ରକ୍ଷା ପାଇବା ପାଇଁ ଜଳରୋଧୀ ଜୋତା ବ୍ୟବହାର କରିବାକୁ କୁହାଯାଇଛି।