ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ମହମ୍ମଦ ନଗର ପାଟଣା ପଞ୍ଚାୟତର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀର ପରକିୟା ପ୍ରିତି ସହି ନ ପାରି ପିଟିପିଟି ମାରିଦେଲା ସ୍ବାମୀ। ସୂଚନା ଅନୁସାରେ, ମହମ୍ମଦ ନଗର ପାଟଣା ପଞ୍ଚାୟତର କୁବାଡିଆ ଗ୍ରାମର ଲାଖାଇ କିସ୍କୁ (କନ୍ଦା) (୩୦) ଆଠ ବର୍ଷ ତଳେ ସେହି ଗ୍ରାମର ଧାନାଇ ହାଁସଦାଙ୍କ ଝିଅ ଦୁର୍ଗୀକୁ ବିବାହ କରିଥିଲେ। ତାଙ୍କର ୭ବର୍ଷର ଝିଅ ଓ ୪ ବର୍ଷର ପୁଅଟିଏ ଥିବାବେଳେ ଦୁର୍ଗୀ ଗ୍ରାମର ଅନ୍ୟଜଣେ ଯୁବକକୁ ଭଲ ପାଇଆସୁଥିଲା। ଏହାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ବାରମ୍ବାର ଝଗଡ଼ା ମଧ୍ୟ ହେଉଥିଲା।
ତେବେ ଗତ ସଂକ୍ରାନ୍ତି ଦିନ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହେବା ପରେ ସ୍ତ୍ରୀ ଦୁର୍ଗୀ ଘରଛାଡି ବାପଘରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ସ୍ବାମୀ କନ୍ଦା ସ୍ତ୍ରୀକୁ ଆଣିବାକୁ ଶ୍ବଶୁର ଘରକୁ ଯାଇଥିବାବେଳେ ସେଠାରେ ସ୍ତ୍ରୀକୁ ପ୍ରବଳ ମାଡ ମାରି ନିଜ ଘରକୁ ନେଇ ଆସିଥିବା ଶୁଣିବାକୁ ମିଳୁଛି। ତେବେ ସକାଳ ସମୟରେ ସ୍ତ୍ରୀ ଘରେ ମରିପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଜଳେଶ୍ଵର ଆଇଆଇସି ରୋଜାଲିନ ବେହେରା ପହଞ୍ଚି କନ୍ଦାକୁ ଅଟକ ରଖିବା ସହିତ ଶବକୁ ଜବତ କରି ତଦନ୍ତ ଜାରି ରଖିଛି।