ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର; ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର । ୨୦୨୫ରେ ରାଜ୍ୟର ଅପରାଧିକ ସ୍ଥିତି ନେଇ ଏହି ଶ୍ବେତ ପତ୍ର ପ୍ରକାଶ ପାଇଛି । ତେବେ ୨୦୨୪ ତୁଳନାରେ ୨୦୨୫ରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଜଣାପଡିଛି । ସରକାରୀ ତଥ୍ୟ ହିସାବରେ ୨୦୨୫ରେ ଧର୍ତ୍ତବ୍ୟ ଅପରାଧରେ ୭.୩୬% ବୃଦ୍ଧି ପାଇଥିବା ଶ୍ୱେତପତ୍ରରେ ପ୍ରକାଶ ପାଇଛି । ଚୋରି, ଡକାୟତି ସାଙ୍ଗକୁ ମହିଳା ଦୁଷ୍କର୍ମ ଘଟଣା ପ୍ରତିବର୍ଷ ବଢ଼ିବାରେ ଲାଗିଛି । ମହିଳାଙ୍କ ପ୍ରତି ଦୁଷ୍କର୍ମ ଘଟଣା ଚିନ୍ତାଜନକ ସ୍ଥିତିରେ ରହିଛି । ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଅପରାଧ ହୋଇଥିଲା। ସେହିପରି ୨୦୨୫ରେ ଏହି ସଂଖ୍ୟା ୨ ଲକ୍ଷ ୨୯ ହଜାର ୮୮୧କୁ ବୃଦ୍ଧି ପାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲା ସବୁଠୁ ସମ୍ବେଦନଶୀଳ । ଦେଶର ମିଜାଇଲ ଜିଲ୍ଲା ଭାବେ ପରିଚିତ ଏହି ଉପକୂଳ ଜିଲ୍ଲା ହତ୍ୟା, ଡକାୟତି ଓ ଦୁଷ୍କର୍ମରେ ରେକର୍ଡ କରିଛି । 

୨୦୨୪ ନିର୍ବାଚନୀ ବର୍ଷ ତୁଳନାରେ ୨୦୨୫ରେ ଅଧିକ ସଂଖ୍ୟାରେ ହତ୍ୟାକାଣ୍ଡ, ଚୋରୀ ଓ ମୋଟରଯାନ ଦୁର୍ଘଟଣା ଘଟିଛି । ୨୦୨୪ରେ ରାଜ୍ୟର ବିଭିନ୍ନ ଥାନାରେ ୧୨୫୮ ହତ୍ୟା, ୧୭ ହଜାର ୮୦୫ ଚୋରୀ ଓ ୧୨ହଜାର ୩୭୫ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଥିଲା । ୨୦୨୫ରେ ୧୩୦୪ ହତ୍ୟା, ୨୧ହଜାର ୧୯୨ ଚୋରୀ ଓ ୧୨ହଜାର ୭୮୨ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜୀକୃତ ହୋଇଛି । ସେହିଭଳି ୨୦୨୫ରେ ୩୫୨ ଡକାୟତି, ୧୮୦୨ ଲୁଟ ଓ ୧୦୯୫ ଦଙ୍ଗା ହୋଇଛି ।

About The Author: Madhusudan Das