ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ‘ସ୍କଚ୍’ ସ୍ୱର୍ଣ୍ଣ ସମ୍ମାନ ମିଳିଛି। ‘ଇ-ରିସୋର୍ସେସ୍’ ଭଳି ଅଭିନବ ପଦକ୍ଷେପ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଶିକ୍ଷା ବର୍ଗରେ ‘ସ୍କଚ୍’ ଏହି ସମ୍ମାନ ପ୍ରଦାନ କରିଛି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜଗୁଡ଼ିକରେ ଗବେଷଣା ପ୍ରକ୍ରିୟାକୁ ସଂଗଠିତ କରିବା ଓ ଗବେଷଣାର୍ଥୀଙ୍କ ପକ୍ଷରୁ ପ୍ରକାଶ ପାଉଥିବା ଇ-ଜର୍ଣ୍ଣଲ୍, ମେଗାଜିନ୍, ଇ-ବୁକ୍ ତଥା ବିଭିନ୍ନ ନିବନ୍ଧର ଡିଜିଟାଲ୍ ପ୍ରକାଶନ ପାଇଁ ‘ଇ-ରିସୋର୍ସେସ୍’ ଭଳି ଅଭିନବ ପଦକ୍ଷେପ ଉଚ୍ଚଶିକ୍ଷା ବିଭାଗ ବିଗତ ବର୍ଷ ଆରମ୍ଭ କରିଥିଲା। ଫଳରେ ‘ଇ-ରିସୋର୍ସେସ୍’ ପୋର୍ଟାଲ ଦ୍ୱାରା ଗୋଟିଏ କ୍ଲିକ୍ରେ ଛାତ୍ରଛାତ୍ରୀ ଓ ଗବେଷଣାର୍ଥୀ ବିଭିନ୍ନ ପ୍ରକଳ୍ପର ନିବନ୍ଧ ସହଜରେ ପାଇ ପାରୁଛନ୍ତି।
ଏଥିପାଇଁ ଏକ ପୋର୍ଟାଲ ବିକଶିତ କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକ ପାଇଁ ଅଲଗା ଅଲଗା ପଞ୍ଜୀକରଣ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ତେବେ ଏହି ଅଭିନବ ପଦକ୍ଷେପ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଶିକ୍ଷା ବର୍ଗରେ ୨୦୨୨ ମସିହା ପାଇଁ ସ୍ୱର୍ଣ୍ଣ ସ୍କଚ୍ ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ଇ-ରିସୋର୍ସେସ୍’ର ପ୍ରସ୍ତୁତି କରାଯାଇଥିବା ବେଳେ ରାଜ୍ୟ ସରକାର ଏଥି ପାଇଁ ପ୍ରାୟ ୧୨କୋଟି ଟଙ୍କା ବ୍ୟୟ କରିଥିବା ସୂଚନା ମିଳିଛି।