ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରେ ପୁଣି କାୟା ମେଳାଇଲାଣି କୋଭିଡ ମହାମାରୀ । ଆନ୍ଧ୍ରପ୍ରଦେଶରେ ଦୁଇ କୋଭିଡ୍ ମୃତ୍ୟୁ ପରେ ଓଡିଶା ସୀମାରେ ହାଇଆଲର୍ଟ ପାଇଁ ନିର୍ଦ୍ଦେଶ ଜାରି ରହିଛି। ରାଜ୍ୟରେ ସବୁ ସମୟରେ କୋଭିଡ ସତର୍କତା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସବୁବେଳେ ଟେଷ୍ଟ ହେଉଛି । ଆନ୍ଧ୍ର ସୀମାନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାର CDMOଙ୍କୁ କୋଭିଡ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଟେଷ୍ଟ କରନ୍ତୁ । ଲକ୍ଷଣ ଦେଖାଗଲେ କୋଭିଡ ନିୟମ ଅନୁସାରେ ଚିକିତ୍ସା ହେବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ମିଶ୍ର ।ସୀମାନ୍ତ ଅଞ୍ଚଳରେ ଯାତାୟାତ ଉପରେ ମଧ୍ୟ ନଜର ରଖାଯାଉଛି । କରୋନାର ନୂଆ ସଂକ୍ରମଣକୁ ନେଇ ଲୋକଙ୍କୁ ସଚେତନ ରହିବା ସହ ସ୍ୱାସ୍ଥ୍ୟ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।
ଆଗକୁ ରଥଯାତ୍ରା ଭଳି ବଡ଼ ଧାର୍ମିକ ସମାଗମ ଥିବାରୁ ସଂକ୍ରମଣ ରୋକିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ଅଧିକ ସତର୍କ ରହିଛି । ବିଶେଷ କରି ଜ୍ୱର, କାଶ, ଗଳାବ୍ୟଥା କିମ୍ବା ଶ୍ୱାସକଷ୍ଟ ଭଳି କୋଭିଡ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ଚିହ୍ନଟ ହେଲେ ପ୍ରଚଳିତ କୋଭିଡ ନିୟମାବଳୀ ଅନୁସାରେ ଚିକିତ୍ସା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।