ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବୌଦ୍ଧ ଓ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଏ ଦୁଇ ସହରରେ ତାପମାତ୍ରା ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସମ୍ବଲପୁରରେ ତାପମାତ୍ରା ୪୩. ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ହିରାକୁଦ ୪୨.୦୩, ସୁନ୍ଦରଗଡ଼ ୪୨.୦୧, ରାଉରକେଲା ୪୨.୦, ଅନୁଗୁଳ ୪୧.୦୭, ସୋନପୁର ୪୧.୦୩, ବଲାଙ୍ଗୀର ୪୧.୦୨, ଟିଟିଲାଗଡ଼ ୪୧.୦, ତାଳଚେର ୪୧.୦ ନୂଆପଡ଼ା ୪୧.୦, ବାରିପଦା ୪୦.୦୬, ବରଗଡ଼ ୪୦.୦୨, ନୟାଗଡ଼ ୪୦.୦୨, ମାଲକାନାଗିରିରେ ୪୦.୦ ଡିଗ୍ରୀ ତାପାମାତ୍ରା ରହିଥିଲା।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଉ କିଛି ଦିନ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଗାମୀ ୪ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ଏଥିରେ ବୃଦ୍ଧି ହୋଇପାରେ। ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ ଅସ୍ୱାଭାବିକ ପାଣିପାଗ ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି ।
ଗୋଟିଏ ପଟେ ସମୁଦ୍ର ଭିତରେ ବାତ୍ୟା ମୋକା ତା’ର ବଳ ଗୋଟାଉଥିବା ବେଳେ ଏପଟେ ଓଡ଼ିଶାରେ କିନ୍ତୁ କଲବଲ କରୁଛି ତାତି। ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୫ ତାରିଖରୁ ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ରହିବ।