ପ୍ରବଳ ଗ୍ରୀଷ୍ମ ପ୍ରବାହ: ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌, ପୁରୀରେ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌ ନିର୍ଦ୍ଦେଶ । ଖରା ଏବଂ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ପୁରୀରେ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ଜୁନ୍ ୧୯ରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ କେବଳ ସକାଳ ସମୟରେ ଖୋଲା ରହିବ। ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ ସକାଳ ୬:୩୦ରୁ ଆରମ୍ଭ ହୋଇ ୧୦:୩୦ ମଧ୍ୟରେ ଶେଷ ହେବ।

ପ୍ରଚଣ୍ଡ ଖରାରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆରଏସ୍ (ORS), ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଏବଂ ଶ୍ରେଣୀଗୃହରେ ଉପଯୁକ୍ତ ବାୟୁ ଚଳାଚଳର ବ୍ୟବସ୍ଥା କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରିବର୍ତ୍ତିତ ସମୟସୂଚୀ ଅନୁଯାୟୀ ମଧ୍ୟାହ୍ନ ଭୋଜନ ଏବଂ ଅନ୍ୟାନ୍ୟ ପ୍ରାଶାସନିକ କାର୍ଯ୍ୟ ସ୍ୱାଭାବିକ ଭାବରେ ଜାରି ରହିବ। ପରୀକ୍ଷା ସୂଚୀ କିମ୍ବା ଶିକ୍ଷକମାନଙ୍କ ଡ୍ୟୁଟିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି।

ଅନ୍ୟପକ୍ଷରେ ଗ୍ରୀଷ୍ମ ପ୍ରବାହର ଭୟାବହତାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ବିଦ୍ୟାଳୟକୁ ଜୁନ୍ ୨୨  ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଅତ୍ୟଧିକ ତାତିରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ପୁରୀ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ଶିଶୁ ବାଟିକା ଠାରୁ ୧୨କ୍ଲାସ ପର୍ଯ୍ୟନ୍ତ ବନ୍ଦ ବନ୍ଦ ରହିବ।

About The Author: Madhusudan Das