ରାଜଧାନୀରେ ଚାଞ୍ଚଲ୍ୟ: ପାର୍କ ନିକଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ କେଳୁଚରଣ ପାର୍କ ପରିସରରୁ ଏକ ଅଜ୍ଞାତ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।  

ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ପରିଚୟ ଲୁଚାଇବା ଏବଂ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ନିଆଁ ଲଗାଇ ପୋଡ଼ି ଦେବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ପାର୍କ ଭିତରେ ଏଭଳି ଏକ ବିଭତ୍ସ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। 

ଖବର ପାଇ କମିଶନରେଟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ପୋଲିସ ଏବଂ ଫରେନ୍‌ସିକ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନମୁନା ସଂଗ୍ରହ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ଏହି ଘଟଣା ପଛରେ କେଉଁମାନଙ୍କର ହାତ ରହିଛି ଏବଂ କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଛି, ସେ ନେଇ ପୋଲିସ ପକ୍ଷରୁ ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ଦିଗରୁ ଛାନଭିନ୍ ଜାରି ରହିଛି।

About The Author: Madhusudan Das