ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ତହସିଲ ଅଧୀନ ସିର୍ଜୁଳି ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ । ଏକ ମ୍ୟୁଟେସନ ମାମଲାରେ ଜମି ପଟ୍ଟା କରାଇଦେବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ ଧରିଛି। ସୂଚନା ଅନୁଯାୟୀ, ଅଭିଯୋଗକାରୀ ନିଜର ପୈତୃକ ସମ୍ପତ୍ତିର ଜମି ପଟ୍ଟା (ମ୍ୟୁଟେସନ) ପାଇଁ ନିର୍ଦ୍ଧାରିତ ଫିସ୍ ଦାଖଲ କରି ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ। ମାତ୍ର ଅଭିଯୁକ୍ତ ଆରଆଇ ସୁଶାନ୍ତ ମଲ୍ଲିକ ବିନା କୌଣସି କାରଣରେ ଏହି ଫାଇଲକୁ ବିଳମ୍ବ କରୁଥିଲେ। ପରବର୍ତ୍ତୀ ସମୟରେ ଅନୁକୂଳ ତଦନ୍ତ ରିପୋର୍ଟ ପ୍ରଦାନ କରିବା ଏବଂ ଫାଇଲକୁ ଆଗକୁ ବଢ଼ାଇବା ପାଇଁ ସେ ୨୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଏକ ସ୍ପେଶାଲ୍ ଟ୍ରାପ୍ ପ୍ରସ୍ତୁତ କରିଥିଲା। ବୁଧବାର ଦିନ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅଭିଯୋଗକାରୀଙ୍କଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ ଧରିଥିଲା। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଚଢ଼ାଉ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ନେଇ ଅଭିଯୁକ୍ତ ଆରଆଇଙ୍କ ସହ ଜଡ଼ିତ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।