ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ, ଅସହ୍ୟ ଗ୍ରୀଷ୍ମପ୍ରବାହ, ବନାଞ୍ଚଳ ହ୍ରାସ ଏବଂ ପରିବେଶ ପ୍ରଦୂଷଣ ଭଳି ବଢ଼ୁଥିବା ଚ୍ୟାଲେଞ୍ଜ ମଧ୍ୟରେ ଆଜି ପାଳନ ହେଉଛି ‘ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ’ । ଏହି ଅବସରରେ ରାଜ୍ୟର ଅଗ୍ରଣୀ ଅଗ୍ରଣୀ ସମ୍ବାଦପତ୍ର ‘ସକାଳ’ ପକ୍ଷରୁ ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏକ ବ୍ୟାପକ ସବୁଜ ଅଭିଯାନର ଆୟୋଜନ କରାଯାଇଛି। ଏହି ଅଭିଯାନରେ ସାଧାରଣ ଲୋକଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ସହ ବୃକ୍ଷରୋପଣ ପ୍ରତି ଆଗ୍ରହ ବଢ଼ାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କୁ ବିନା ମୂଲ୍ୟରେ ବୃକ୍ଷ ଚାରା ବଣ୍ଟନ କରାଯାଇଛି । ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଜିଲ୍ଲା ପ୍ରତିନିଧି ଅନୀଲ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ନୟାଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର, ନୟାଗଡ଼ ବନାଞ୍ଚଳ ଅଧିକାରୀ ଅଶୋକ ବିଶ୍ୱାଳ, ବନପାଳ ମୀନକେତନ ନାୟକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷଦାନ କରିଥିଲେ।
ସକାଳ ପକ୍ଷରୁ ଆୟୋଜିତ ଏଭଳି ନିଆରା କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶଂସା କରିଛନ୍ତି। ଏହା ସହିତ ନୟାଗଡ଼ ଜିଲ୍ଲାର ପରିବେଶ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ କାରଣରୁ ସୁସ୍ଥ ଅଟେ। ଏହାକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ପରିବେଶ ପ୍ରତି ସଜାଗ ହେବାକୁ ପରାମର୍ଶ ଦେଇଥିଲେ। କେବଳ ବନବିଭାଗ ନୁହେଁ, ସମସ୍ତେ ସୁସ୍ଥ ପରିବେଶ ଓ ପ୍ରକୃତି ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କବି ଗୋପୀନାଥ ସେଠୀ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ରୋଟରିଆନ ଅବିନାଶ ସାହୁ, ବ୍ୟବସାୟୀ ସନ୍ତୋଷ ନାୟକ, ନୟାଗଡ଼ ବଣିକ ସଂଘ ସଭାପତି ଜାନକୀ ବଲ୍ଲଭ ଜେନା, ରୁଦ୍ର ପ୍ରସନ୍ନ ରଥ, ଧୀରେନ୍ଦ୍ର ପଟ୍ଟନାୟକ, ବିଶ୍ୱଜିତ୍ ନାୟକ, ନିହାର ପଟ୍ଟନାୟକ, ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ବନରକ୍ଷୀ ଜିତେନ୍ଦ୍ର ବେହେରା କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିଲେ।
ସେହିପରି ମୟୂରଭଞ୍ଜ ଜିଲ୍ଲା ବେତନଟୀ ସ୍ଥିତ ୧୮ନଂ ଜାତୀୟ ରାଜପଥ ପାର୍ଶ୍ବ ସ୍ବସ୍ତିକ ପେଟ୍ରୋଲ ପମ୍ପ ନିକଟରେ ‘ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ’ପାଳିତ ହୋଇଯାଇଛି। ପେଟ୍ରୋଲ ଓ ଡିଜେଲ୍ ନେବାକୁ ପମ୍ପକୁ ଆସୁଥିବା ଗ୍ରାହକଙ୍କୁ ଆମ୍ବ, ପିଜୁଳି, ପପେୟା, ଲେମ୍ବୁ, ସଜନା ଆଦି ଶହେରୁ ଅଧିକ କଲମି ଓ ହାଇବ୍ରିଡ ଫଳ ଚାରା ବଣ୍ଟନ କରାଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡା ଯୋଗ ଦେଇଥିବା ବେଳେ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ତଥ ଭୂମିପୁତ୍ର ବିବେକାନନ୍ଦ ପଟ୍ଟନାୟକ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ମିଳିତ ଭାବରେ ଉଦଘାଟନ କରିଥିଲେ। ବୃକ୍ଷ ରୋପଣ ପରେ ତାକୁ ନିଜର ସନ୍ତାନ ଭଳି ଲାଳନପାଳନ କରି ବଡ କରିବାକୁ ଆହ୍ବାନ ଦେଇଥିଲେ । ଜଣେ କେବଳ ଗୋଟିଏ ଚାରା ଲଗାଇ ବୃକ୍ଷର ରୂପ ଦେଲେ ପ୍ରକୃତି ସଂରକ୍ଷଣ ସମ୍ଭବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବେତନଟୀ ବନାଞ୍ଚଳ ଅଧିକାରୀ ଧୁର୍ବେନ୍ଦ୍ର ନାଥ ନାଏକ, ସ୍ବସ୍ତିକ ପେଟ୍ରୋଲ ପମ୍ପର ସତ୍ତ୍ବାଧିକାରୀ ସିଦ୍ଧାର୍ଥ ଅଗ୍ରଓ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହିତ ପେଟ୍ରୋଲ ପମ୍ପକୁ ଆସୁଥିବା ଗ୍ରାହକଙ୍କୁ ଚାରା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେତନଟୀ ସିଭିଲ ସୋସାଇଟିର ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ବାମୀ, ରବିନ୍ଦ୍ର ନାଥ ମିଶ୍ର, ଡ ରମାକାନ୍ତ ମହାନ୍ତ, ବାସୁଦେବ ନାପିତ, ଗୁରୁଚରଣ ଭୂୟାଁ, ଗିରିଧାରୀ ସାହୁ, ଦୁର୍ଯ୍ୟୋଧନ ସିଂ ଯତୀନ୍ଦ୍ରନାଥ ସାହୁ ପ୍ରମୁଖଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦେଇ ଚାରା ବଣ୍ଟନ କରିଥିଲେ । ସକାଳ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସକାଳ ଓ ନନ୍ଦିଘୋଷ ଟିଭି ପରିବାରର ପକ୍ଷରୁ ସୁବ୍ରତ କୁମାର ଦାସ, ସାମ୍ବାଦିକ ଅଜିତ ସେନାପତି, ଶାନ୍ତନୁ ପଣ୍ଡା, ଭବାନୀ ଶଙ୍କର ପରିଡା, ହରିଶ୍ଚନ୍ଦ୍ର ସାମଲ, ପ୍ରକାଶ ଲେଙ୍କା, କମଲ ଲୋଚନ କର ଏବଂ ପେଟ୍ରୋଲ ପମ୍ପର କର୍ମଚାରୀ ଗଣ ପରିଚାଳନାରେ ସହଯୋଗରେ କରିଥିଲେ।
ଲୋକମାନେ ନିଜ ଘର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଆଖପାଖ ପରିବେଶରେ ଚାରା ରୋପଣ କରି ସବୁଜିମା ବଢ଼ାଇବାକୁ ଆହ୍ୱାନ ଦିଆଯାଇଛି। ‘ସକାଳ’ର କର୍ମକର୍ତ୍ତା, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଓ ପରିବେଶପ୍ରେମୀମାନେ ଏଥିରେ ସାମିଲ ହୋଇଛନ୍ତି । ‘ଗୋଟିଏ ଗଛ – ଗୋଟିଏ ଜୀବନ’ ବାର୍ତ୍ତାକୁ ନେଇ ଆୟୋଜିତ ଏହି ଅଭିଯାନରେ ଅଧିକରୁ ଅଧିକ ଲୋକଙ୍କ ସହଭାଗିତା ପାଇଁ ‘ସକାଳ’ ପକ୍ଷରୁ ଆହ୍ୱାନ କରାଯାଇଛି । ବୃକ୍ଷରୋପଣ କେବଳ ପରିବେଶ ସୁରକ୍ଷା ନୁହେଁ, ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପୃଥିବୀ ଗଢ଼ିବାର ସଙ୍କଳ୍ପକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ‘ସକାଳ’ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି ।