ନାତୁଣୀକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ଜେଜେ ମୃତ

ଅନୁଗୁଳ: ଲୁଗା ଶୁଖାଉଥିବା ବେଳେ ନାତୁଣୀକୁ ଲାଗିଲା କରେଣ୍ଟ । ନାତୁଣୀକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ଚାଲିଗଲା ଜେଜେର ଜୀବନ । ମୃତକ ହେଲେ ୭୦ ବର୍ଷୀୟ ରତ୍ନାକର ସାହୁ । ନାତୁଣୀ ତୁଳସୀ ସାହୁକୁ ଗୁରୁତର ଅବସ୍ଥାରେ ଅନୁଗୁଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନୁଗୁଳ ଜିଲ୍ଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । 

ସୂଚନା ଅନୁସାରେ, ତୁଳସୀ ଘର ଛାତ ଉପରେ ଲୁଗା ଶୁଖାଉଥିବା ସମୟରେ ସର୍ଭିସ ତାର ସଂସ୍ପର୍ଶରେ ଆସି କରେଣ୍ଟ ଲାଗିଥିଲା । ନାତୁଣୀକୁ ବିଦ୍ୟୁତ୍ ଝଟକା ଲାଗୁଥିବା ଦେଖି ଅଜା ରତ୍ନାକର ତାଙ୍କୁ ବଞ୍ଚାଇବା ପାଇଁ ଭିଡ଼ି ଆଣିବାକୁ ଚେଷ୍ଟା କରିଥିଲେ । ନାତୁଣୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ୟ ବିଦ୍ୟୁତ୍ ଆଘାତ ଲାଗିଥିଲା । ପରିବାର ଲୋକେ ଉଭୟଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ। ସେଠାରେ ଡାକ୍ତର ରତ୍ନାକର ସାହୁଙ୍କୁ ମୃତ ଘୋଷଣା କରିଥିବା ବେଳେ ତୁଳସୀଙ୍କ ଚିକିତ୍ସା ଜାରି ରହିଛି ।

About The Author: Madhusudan Das