ବିଜୁ ବାବୁଙ୍କୁ ଅପମାନର ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା ଚାହୁନାହାନ୍ତି ସରକାର: ବିଜେଡି

ଭୁବନେଶ୍ୱର: ବିଜୁ ବାବୁଙ୍କ ବିଷୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅରୁଚିକର ମନ୍ତବ୍ୟ ଉପରେ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଣିବା ପାଇଁ ମଙ୍ଗଳବାର ବିଧିବଦ୍ଧ ଭାବେ ଲିଖିତ ଦାବି ରଖିଥିଲା ବିଜେଡି। ବାଚସ୍ପତି ସୁରମା ପାଢ଼ୀ ଏହାକୁ ଗ୍ରହଣ କରିବା ସହିତ ଏହାକୁ ବିଚାର କରିବେ ବୋଲି ଗୃହରେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଅଧରାତିରେ ବିଧାନସଭାର ଚଳିତ ଅଧିବେଶନକୁ ବନ୍ଦ କରିଦିଆଯିବାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ରାଜ୍ୟ ବିଜେପି ସରକାରଙ୍କୁ ଶାଣିତ କଟାକ୍ଷ କରିଛନ୍ତି । 

ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅରୁଚିକର ଓ ଅପମାନସୂଚକ ସମଗ୍ର ଓଡ଼ିଆ ଜାତିକୁ ବ୍ୟଥିତ କରିଥିବା ବେଳେ ଏହାକୁ ନେଇ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଆଡେ ପ୍ରତିବାଦ ଦେଖିବାକୁ ମିଳୁଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଶ୍ରୀ ଦୁବେ ପ୍ରତିନିଧିତ୍ୱ କରୁଥ଄ବା ଦଳ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ଦେଇ ନାହିଁ; ଯାହାକୁ ନେଇ ଆଜି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ମନରେ ପ୍ରଶ୍ନ ଉଠିଛି। ଗତକାଲି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇ ଗୃହର ସଦସ୍ୟମାନେ ଶ୍ରୀ ଦୁବେଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ସହିତ ବାଚସ୍ପତିଙ୍କ ପାଖରେ ଏହି ସମ୍ୱନ୍ଧରେ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଗତ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାକୁ ବାଦବିବାଦ ପରେ ସେ ଗ୍ରହଣ କରିଥିଲେ ଓ କେବେ ଆଲୋଚନା ହେବ ତାହା କାର୍ଯ୍ୟ ପରାମର୍ଶଦାତା କମିଟିରେ ଆଲୋଚନା କରି ଜଣାଇବେ ବୋଲି କହିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଗତକାଲି ମଧ୍ୟରାତ୍ରରେ ବିଧାନସଭାର ଚଳିତ ଅଧିବେଶନକୁ ବନ୍ଦ କରି ଦିଆଯାଇଛି। ବିଜୁ ବାବୁଙ୍କ ଉପରେ ଅପମାନ ସୂଚକ ମନ୍ତବ୍ୟ ଉପରେ ନିନ୍ଦା ପ୍ରସ୍ତାବ ଆଣିବା ପରେ ସମ୍ଭବତଃ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଇଚ୍ଛୁକ ନ ଥିବାରୁ, ଚଳିତ ଅଧିବେଶନକୁ ଏହାର ଅବଧି ପୂର୍ବରୁ ବାତିଲ କରି ଦେଇଛନ୍ତି। ବିଜୁ ବାବୁଙ୍କ ପ୍ରତିଷ୍ଠା ଓ ସମ୍ମାନକୁ କ୍ଷୁର୍ଣ୍ଣ କରିବା ପାଇଁ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଅତନୁ ସବ୍ୟସାଚୀ ନାୟକ କହିଥିଲେ, ୨୦୧୮ରେ ଓଡ଼ିଆ ଅସ୍ମିତାକୁ ଆଘାତ ଦେଲାଭଳି ଅଭିଜିତ୍‌ ଆୟାର ମିତ୍ର ନାମକ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଟ୍ୱିଟ୍‌ କରିଥିଲେ, ଯାହା ବିରୋଧରେ ନବୀନ ସରକାର ଦୃଢ଼ ପଦକ୍ଷେପ ନେଇଥିଲେ। ଫଳରେ ଆୟାରଙ୍କୁ ୪୪ ଦିନ ଜେଲ୍‌ରେ ରହିବାକୁ ପଡିଥିଲା। ମାତ୍ର ଆଜି ବିଜୁ ବାବୁଙ୍କୁ ଅପମାନର ନୀରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟର ବିଜେପି ସରକାର। ଯଦି ସାହସ ଅଛି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିନ୍ଦା କରନ୍ତୁ ଓ ଦୁବେଙ୍କଠାରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି। 

About The Author: Madhusudan Das