ବ୍ରହ୍ମପୁର: ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ଉଡ଼ିଗଲା ଘର । ବିସ୍ପୋରଣ ଯୋଗୁଁ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର ହୋଇଥିବାବେଳେ ଚାରୋଟି ଘରର କାନ୍ଥ ଭାଙ୍ଗି ଯାଇଛି । ବଡବନ୍ଧ ସାହିର ପ୍ରଫୁଲ୍ଲ ରାଉତ ଘରେ ଏକୁଟିଆ ଥିବା ସମୟରେ ଗ୍ୟାସରେ ଡାଲି ଗରମ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଗ୍ୟାସ ସିଲିଣ୍ଡର ଫାଟିବା ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ ପ୍ରଫୁଲ୍ଲ । ପ୍ରଫୁଲ୍ଲଙ୍କ ହାତ, ଗୋଡ଼ ସହ ଶରୀରର ବିଭିନ୍ନ ଅଙ୍ଗ କ୍ଷତ ହୋଇଥିଲା। ଗୁରୁତର ଅବସ୍ଥାରେ ପ୍ରଫୁଲ୍ଲଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି। ପ୍ରଫୁଲ୍ଲଙ୍କ ଘରର ବହୁ ଆସବାବପତ୍ର ନଷ୍ଟ । ପ୍ରଫୁଲ୍ଲଙ୍କ ଘର ସମେତ ଚାରୋଟି ଘରର କାନ୍ଥ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି । ଅଗ୍ନିଶମ ବିଭାଗ, ନିମଖଣ୍ଡି ଥାନା ପୋଲିସ ଓ ସ୍ଥାନୀୟ ବାସିନ୍ଦା ପ୍ରଫୁଲ୍ଲଙ୍କୁ ଉଦ୍ଧାର କରିଥିଲେ। ଗତକାଲି ବିଳମ୍ବିତ ରାତିରେ ହୋଇଥିଲା ଗ୍ୟାସ ସିଲିଣ୍ଡର ଫାଟିଥିଲା।